ଫୁଲବାଣୀ: ଡିଜିପି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ଲଙ୍କାଗଡରେ ନିର୍ମାଣାଧୀନ ସିଆରପିଏଫ କ୍ୟାମ୍ପକୁ ପରିଦର୍ଶନ କରିଛନ୍ତି । ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଶାଢୀ, କମଳ, ଚଦର, ଟିସାର୍ଟ ସହ ବହୁ ଖେଳ ସାମଗ୍ରୀ ବଣ୍ଟନ କରିଛନ୍ତି । ମାଓ ପ୍ରବଣ ଆଞ୍ଚଳ ଭାବେ ଜଣାଶୁଣା ଥିବା ଲଙ୍କାଗଡକୁ ପରିଦର୍ଶନ ପରେ କ୍ୟାମ୍ପରେ ନିୟୋଜିତ ଥିବା ସିଆରପିଏଫ ଓ ଏସଓଜି ଯବାନଙ୍କ ସହ ମାଓ ଗତିବିଧି ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ମାଓବାଦୀ ମାନଙ୍କୁ କିଭଳି ମୂଳୋତ୍ପାଟନ କରାଯାଇପାରିବ ସେନେଇ ଗୁରୁତ୍ଵାରୋପ କରିଥିଲେ ଏବଂ ତୁରନ୍ତ ମାଓ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥିଲେ ଡିଜିପି ସୁନୀଲ ।
ପୂର୍ବରୁ ଲଙ୍କାଗଡ ନିକଟ ଭଣ୍ଡାରଙ୍ଗୀ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ଏବଂ ତାଙ୍କ ସହୋଯଗୀଙ୍କୁ ମାଓବାଦୀ ମାନେ ଘରୁ ଉଠାଇ ନେଇ ହତ୍ୟା କରିଥିଲେ ଏବଂ ଉକ୍ତ ଅଞ୍ଚଳରେ ମାଓବାଦୀ ସକ୍ରିୟ ରହୁଥିବା ନଜିର ରହିଛି । ଏହି ଗସ୍ତରେ ଡିଜିପି ସୁନୀଲ ବଂଶଲଙ୍କ ସହ ଡିଜିପି ଆର.କେ ଶୋରାନ, ଆଇଜିପି ଅପରେଶନ ଅମିତାଭ ଠାକୁର, ଆଇଜିପି ଦକ୍ଷିଣାଞ୍ଚଳ ସତ୍ୟବ୍ରତ ଭୋଳ, ଡିଆଇଜି ଅନିରୁଦ୍ଧ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ