ଫୁଲବାଣୀ: ସହରଠାରୁ ଅଳ୍ପ ଦୂରରେ ଥିବା ଗୁଦାରି ଏୟାରଷ୍ଟ୍ରିପ୍ (ବିମାନ ଉଡାଣ ଓ ଅବତରଣ ପଡିଆ) କାର୍ଯ୍ୟକ୍ଷମକୁ ନେଇ ଏବେ ଦାବି ଜୋର ଧରିଛି । କେବଳ ମନ୍ତ୍ରୀ ଓ ସଚିବ ମାନେ ବିମାନରେ ଆସି ଏଠାରେ ଓହ୍ଲାଉଥିବା ବେଳେ ଏଠାରୁ ବିମାନ ସେବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ତେବେ ତୁରନ୍ତ ବିମାନ ବନ୍ଦର କାର୍ଯ୍ୟକ୍ଷମ କରି ଏହାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି ।
ସୂଚନା ଅନୁସାରେ ଏହି ଏୟାରଷ୍ଟ୍ରିପକୁ ପୂର୍ଣ୍ଣକାଳୀନ ବିମାନ ବନ୍ଦର କରାଯିବ ବୋଲି ପ୍ରସ୍ତାବ ରହିଥିଲା । କିନ୍ତୁ ଏହା ଉପରେ ସରକାର କୌଣସି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାକୁ ଉଡ଼ାଣ ଯୋଜନାରେ ସାମିଲ କରି ଏହାର ଉନ୍ନତିକରଣ କରାଯାଇ ପାରିଲେ କନ୍ଧମାଳ ବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇ ପାରିବ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରିଥିବା ପ୍ରକାଶ କରିଛନ୍ତି ।
୧୯୯୭ ମସିହାରେ ଫୁଲବାଣୀ ନିକଟସ୍ଥ ଗୁଦାରି ନିକଟରେ ପ୍ରାୟ ୧୦୦ ଏକର ପରିମିତ ଜମିରେ ଏହି ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇଥିଲା । ସେବେଠାରୁ ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ମରାମତି ବାବଦରେ ଖର୍ଚ୍ଚ କରାଯାଉଛି । ତେବେ କନ୍ଧମାଳ ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀକୁ ପ୍ରତିବର୍ଷ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି । ତେଣୁ ଗୁଦାରି ଏୟାରଷ୍ଟ୍ରିପ୍କୁ ନିତିଦିନିଆ ବିମାନ ବନ୍ଦରରେ ପରିଣତ କରାଗଲେ ଲୋକେ ସେବା ପାଇବା ସହ ସରକାର ମଧ୍ୟ ଅଧିକ ରାଜସ୍ବ ହାସଲ କରିବେ । କିନ୍ତୁ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହା ହୋଇପାରୁ ନ ଥିବା ସହରର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କନ୍ଧମାଳ