ଫୁଲବାଣୀ: କୋରୋନାର ତୃତୀୟ ଲହର ହୁ ହୁ ହୋଇ ମାଡ଼ି ଆସୁଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ପାଞ୍ଚ ଦିନରେ ଜିଲ୍ଲାରେ ୩୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ଅପରାହ୍ନ ସୁଦ୍ଧା ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସାୟ ସଂଘ, ବରିଷ୍ଠ ନାଗରିକ ତଥା ବିଭିନ୍ନ ସ୍ବେଚ୍ଛାସେବୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରାଯାଉଛି । ତେବେ କରୋନା ୩ୟ ଲହରରେ ବ୍ରେକ ଲାଗିପାରୁ ନାହିଁ । ଯାହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତୃତୀୟ ଲହର ଓମିକ୍ରନ୍ ସଫଳ ମୁକାବିଲା ପାଇଁ ଆଜି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ୟ ଥର କାର୍ଯ୍ୟକ୍ଷମ ହୋଇଛି କୋଭିଡ୍ ଚିକିତ୍ସାଳୟ । ସେଠାରେ ୧୨୦ଟି ଶଯ୍ୟା, ୧୦ ଟି ଆଇ.ସି.ୟୁର ବ୍ୟବସ୍ଥା ରହିଛି ।
ଏ ନେଇ ଆଜି ଜିଲ୍ଲାପାଳଙ୍କ ସଦଭାବନା କକ୍ଷରେ ଜିଲ୍ଲାସ୍ତରୀୟ କୋଭିଡ୍ ଚିକିତ୍ସାଳୟ ପାଇଁ କିମ୍ସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଚୁକ୍ତିନାମା ପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି କୋଭିଡ଼ ହସ୍ପିଟାଲରେ ଆଇସିୟୁ ସହିତ ୧୦ଟି ଭେଣ୍ଟିଲେଟର ମଧ୍ୟ ସୁବିଧା ରହିଛି । ଏହି କୋଭିଡ଼ ହସପିଟାଲର ଦାୟିତ୍ବ କିମସ୍ ନେଇଥିବାବେଳେ ଏଥିରେ କିମସ୍ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ ବାୟୋମେଡ଼ିକାଲ ଇଞ୍ଜିନିୟର, ଇଲେକଟ୍ରିକାଲ ଇଞ୍ଜିନିୟର, ହାଉସକିଫି ଷ୍ଟାଫ ସମେତ ୫୦ରୁ ୬୦ଜଣ କର୍ମଚାରୀ ଯୋଗ ଦେବେ । ଏହା ସହିତ ଏହା ଭିତରେ ଔଷଧ ଭଣ୍ଡାର ମଧ୍ୟ ରହିଛି । ସେହିପରି ଜିଲ୍ଲାରେ ୭ଟି କୋଭିଡ଼ କେୟାର ସେଣ୍ଟର ଖୋଲାଯାଇଛି । ଯେଉଁଥିରେ ୧୩୩୦ ଟି ଶଯ୍ୟା ରହିଥିବାବେଳେ ୯୦ଟି ଶଯ୍ୟାରେ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିଜେନ କନସନଟ୍ରେଟର ବ୍ୟବସ୍ଥା କରାଯାଇଛି ।
ସେହିପରି ପ୍ରତ୍ୟେକ ଦିନ ୧୬୦୦ ଲୋକଙ୍କର କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ଆରଟିପିସିଆର ୬୦୦ ଓ ଆରଏଟି ୧୦୦୦ ଟେଷ୍ଟର ବ୍ୟବସ୍ଥା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋରୋନା ଟେଷ୍ଟର ବ୍ୟବସ୍ଥା କରାଯାଇଛି । କୋରୋନାକୁ ପ୍ରତିହତ କରିବାକୁ ଜିଲ୍ଲାରେ ୨୧ଟି ଆୟୁଷ ଡ଼ାକ୍ତର,ଷ୍ଟାଫ ନର୍ସ, ଫାର୍ମାସିଷ୍ଟ,ଏଏନ୍ଏମ, ଏଲଟି ଏବଂ ସାନିଟାରୀ କର୍ମଚାରୀଙ୍କୁ ୭ଟି କୋଭିଡ଼ କେୟାର ସେଣ୍ଟରରେ ନିୟୋଜନ କରାଯାଇଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ