ଫୁଲବାଣୀ: କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଲଗାତାର ଚିକିତ୍ସାରେ ଆସିଛି ଅବହେଳା ଅଭିଯୋଗ । ସ୍ବାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ସାଲାଇନ୍ ବାହାର କଲାବେଳେ ପ୍ରସୂତୀଙ୍କ ହାତରେ ସାଲାଇନ୍ ଛୁଞ୍ଚି ରହିଯାଇଛି । ଫଳରେ କୋଳରେ ନବଜାତକକୁ ଧରି ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗତ 3ଦିନ ମଧ୍ୟରେ ଏପରି ଦୁଇଟି ଘଟଣା ଘଟିଛି । ପ୍ରସୂତୀ ମହିଳାଙ୍କ ନାଁ ଜଗେଶ୍ବିନୀ । ତାଙ୍କ ଚିକିତ୍ସାରେ ଅବହେଳା ନେଇ ସ୍ବାମୀ ଅଭିଯୋଗ କରିଛନ୍ତି ।
ଗତ ୫ ତାରିଖରେ ଦାରିଙ୍ଗବାଡ଼ି ନିଳକନ୍ଦର ସାହିର ସରୋଜ କୁମାର ସାହୁଙ୍କ ସ୍ତ୍ରୀ ଜଗେଶ୍ବିନୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ ଜଗେଶ୍ବିନୀ । କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ସାଲାଇନ୍ ବାହାର କଲାବେଳେ ଜଗେଶ୍ବିନୀଙ୍କ ହାତରେ ସାଲାଇନ୍ ଛୁଞ୍ଚି ରହିଯାଇଛି । ଯନ୍ତ୍ରଣାରେ ଛଟପଟ ଦେଖି ସ୍ବାମୀ ଡାକ୍ତରଙ୍କୁ ଅଭିଯୋଗ ପରେ, ଏଠାରେ ଚିକିତ୍ସା କରାଯାଇପାରିବ ନାହିଁ ସ୍ତ୍ରୀଙ୍କୁ ନେଇ ଫୁଲବାଣୀ ଚାଲିଯାଅ କହି ସ୍ଥାନାନ୍ତର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ସରୋଜ ।
ତେବେ ଏଭଳି ଘଟଣା ଏଠାରେ ପ୍ରଥମ ନୁହେଁ । ପୂର୍ବରୁ ଅନେକଥର ଏଭଳି ଘଟଣା ଘଟିଛି । କିନ୍ତୁ କାହା ହାତରୁ ଛୁଞ୍ଚି ସେମିତି ବାହାରିଛି ତ ଅନେକଙ୍କ ଅପରେସନ କରି ଛୁଞ୍ଚି ବାହାର କରାଯାଇଛି । ଏ ସମ୍ପର୍କରେ ସିଡିଏମଓ ଡ.ରାସେଶ୍ୱରୀ ପଟ୍ଟନାୟକ କହିଛନ୍ତି ଯେ, ‘‘ଡାକ୍ତରଖାନାର ସମସ୍ତ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସରକାର ପଠାଉଛନ୍ତି । ବାହାରର କୌଣସି ସାମଗ୍ରୀ ଆମେ ବ୍ୟବହାର କରୁନାହୁଁ । ଛୁଞ୍ଚିରେ ସମସ୍ୟା ରହିଛି । ଏମିତି ଘଟଣା ଆମ ନଜରକୁ ଆଉ କିଛି ମଧ୍ୟ ଆସିଛି । ଏ ନେଇ ଆମେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବୁ।’’
ସଂପୃକ୍ତ ମହିଳାଙ୍କୁ ଫୁଲବାଣୀ ଆଣି ଚିକିତ୍ସା ସୁବିଧା କରାଯିବାକୁ ଦାବି କରିଛନ୍ତି ପରିବାର ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ