ଫୁଲବାଣୀ: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ କଲେଜ ଛାତ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁରେ ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ଘରେ ବେକରେ ରସି ଲଗାଇ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ ଡିଣ୍ଡିରାଗାଁର ବିଶ୍ଵାମିତ୍ର ନାୟକଙ୍କ ପୁଅ ମୃତ୍ୟୁଞ୍ଜୟ ନାୟକ (୧୮) ଘରେ କେହିନଥିବା ବେଳେ ବେକରେ ଏକ ପ୍ଲାଷ୍ଟିକ ରସି ଲଗାଇ ଝୁଲି ପଡ଼ିଥିଲେ । ପରେ ପରିବାର ଲୋକ ଘରକୁ ଆସି ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏବାବଦରେ ମୃତ ଛାତ୍ରଙ୍କ ବାପା ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ ମହିଳା ପୋଲିସ ଅଫିସର ମିନି ମହାକୁଡ଼ ଓ ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ପହଞ୍ଚି ମୃତ ଦେହର ପଞ୍ଜିକରଣ କରିବା ସହ ମର ଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଲବାଣୀକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ।
ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ମୃତ ଛାତ୍ର ଜଣକ ଫିରିଙ୍ଗିଆ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ର । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି । ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୪/୨୦୨୨ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ।
ଇଟିଭି ଭାରତ, ଫୁଲବାଣୀ