ଫୁଲବାଣୀ: କନ୍ଧମାଳ (Kandhamal) ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ (Biju Swasthya Kalyan Yojana) ସ୍ମାର୍ଟ ହେଲଥ କାର୍ଡ (Smart Health Card ) ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm Naveen Patnaik ) । ଏହି ଅବସରରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ମାଳ ଜିଲ୍ଲାବାସୀଙ୍କୁ ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ଟି ବିଭିନ୍ନ ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧୨ଟି ବ୍ଳକ ଓ ୩ ପୌରାଞ୍ଚଳରେ ୧ ଲକ୍ଷ ୭୯ ହଜାର ୯୭୦ ପରିବାରର ୬ ଲକ୍ଷ ୪୮ ହଜାର ୯୧୯ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ୫ ଦିନ ମଧ୍ୟରେ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କନ୍ଧମାଳ ପାଇଁ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ତେବେ ଏହି ସବୁ କାର୍ଡ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବାଣ୍ଟିବାକୁ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନିଜ ହାତରେ କିଛି ହିତାଧିକାରୀଙ୍କୁ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି । କାର୍ଡ ବଣ୍ଟିବା ପାଇଁ ମନ୍ତ୍ରୀ ଓ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ , କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିୟାନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜ୍ଞାନ ଓ କାରିଗର ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଚକ୍ରମମଣି କହଁର, ସାଲୁଗା ପ୍ରଧାନ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଯାହକୁ ନେଇ ଖୁସି ପ୍ରକଟ କରିଛନ୍ତି ସ୍ମାର୍ଟ କାର୍ଡ ପାଇଥିବା ମହିଳାମାନେ ।
ଅନ୍ୟପଟେ ସହ ଜିଲ୍ଲାରେ ମୋଟ ୮୩୯ କୋଟି ୧୫ ଲକ୍ଷ ଟଙ୍କାର ୨୭୪ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହରାଞ୍ଚଳ ବିକାଶ କ୍ଷେତ୍ରରେ ସ୍ୱାସ୍ଥ୍ୟ,ଶିକ୍ଷା ,ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ୨୩ ଟି ପ୍ରକଳ୍ପରେ ୩୬ କୋଟି ୩ ଲକ୍ଷ , ମିଶନ ଶକ୍ତି ପାଇଁ ୧୨ ଟି ପ୍ରକଳ୍ପରେ ୫ କୋଟି ୫୩ ଲକ୍ଷ ,ମେଗା ପାଇପ ପାନୀୟ ଜଳ ଯୋଗାଣ ପାଇଁ ୨ ଟି ପ୍ରକଳ୍ପରେ ୫୬୮ କୋଟି ୪୪ ଲକ୍ଷ ଓ ସେତୁ ନିର୍ମାଣ ପାଇଁ ୮ ଟି ପ୍ରକଳ୍ପରେ ୨୯ କୋଟି ୪୬ ଲକ୍ଷ ବ୍ୟୟବରାଦ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ସେହିପରି ଜଳସେଚନ ପ୍ରକଳ୍ପ ପାଇଁ ୨ଟି ପ୍ରକଳ୍ପରେ ୪୮ ଲକ୍ଷ , ସ୍ୱାସ୍ଥ୍ୟ ସେବା ଓ ବିଦ୍ୟୁତ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ୨ ଟି ପ୍ରକଳ୍ପରେ ୪୪ କୋଟି ୮୧ ଲକ୍ଷ , ରାସ୍ତା, କୋଠବାଡି ଏବଂ ସେତୁ ପାଇଁ ୩୪ ଟି ପ୍ରକଳ୍ପରେ ୧୩୯ କୋଟି ୫୧ ଲକ୍ଷ ଓ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୧୮୯ ଟି ପ୍ରକଳ୍ପ ରେ ୧୧ କୋଟି ୫୦ ଲକ୍ଷ , ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୨୭ଟି ପ୍ରକଳ୍ପରେ ଉଦଘାଟନ କରିଥିବା ସହ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ