ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । କନ୍ଧମାଳ, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ସ୍ବତନ୍ତ୍ର ଟିମ ଚଢାଉ କରି ଗିରଫ କରିଛି ଏହି ଗ୍ୟାଙ୍ଗର 6 ସଦସ୍ୟଙ୍କୁ ।
ଡକାୟତଙ୍କ ପାଖରୁ 8ଟି ମଟର ସାଇକେଲ, 4ଟି ମୋବାଇଲ, 2ଟି ଲେଖାଏଁ ଛୁରୀ ଓ ଠେଙ୍ଗା ଏବଂ ଗୋଟିଏ ଭୂଜାଲି ଜବତ କରିଛି ପୋଲିସ । ସମସ୍ତଙ୍କୁ ବାଲିଗୁଡା କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇଛି ପୋଲିସ ।
ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମନଖୋଲ ନିକଟ କଞ୍ଜାଲଘୁ ଘାଟିରେ ଲଗାତାର ଭାବରେ ଡକାୟତି ହେଉଥିଲା । ଚଳିତ 6ତାରିଖରେ ମାନସ କୁମାର ଦିଗାଲଙ୍କ ପରିବାର ଠାରୁ ଡକାୟତି କରିଥିଲେ ଏହି ଗ୍ୟାଙ୍ଗ ଘାଟି ଅଞ୍ଚଳରେ । ଡକାୟତ ଦଳ ଫେରିବା ବେଳେ ଖମନଖୋଲ ଗାଁରେ ଲୋକଙ୍କ ହାବୁଡରେ ପଡିବା ସହିତ ଜଣେ ଡକାୟତକୁ କାବୁ କରିଥିଲେ ଗ୍ରାମବାସୀ । ଧରାପଡିଥିବା ଡକାୟତ ଠାରୁ ସୂଚନା ପାଇ ପୋଲିସ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି 4 ଜିଲ୍ଲାରୁ 6 ଜଣଙ୍କୁ ଆଜି ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ବଡବାହାଲ ଗାଁର ପୁରୁଷୋତ୍ତମ ରଣା ଓ ସଞ୍ଜୀବ ରଣା ଏବଂ ତବଡା ଗାଁର ବିରେନ୍ଦ୍ର ଗୁରୁ । ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ଶାନ୍ତନୁ ମହାଲିଙ୍ଗ, ନୂଆପଡା ଜିଲ୍ଲା ଧର୍ମବନ୍ଧ ଥାନା ଅନ୍ତର୍ଗତ କେନ୍ଦୁବାହାର ଗାଁର ସୂର୍ଯକାନ୍ତ ମାଝି । ଏହାସହ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କଣ୍ଟାପାଲୀ ଗାଁର ସୁବାସ ବାରିକ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ