ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଟାସ୍କ ଫୋର୍ସ ଉପରେ ଆକ୍ରମଣ ପରେ ଆଜି(ବୁଧବାର) ସଦର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୁଦ୍ରୁକୁମ୍ପା ଫାଣ୍ଡିକୁ ଲୋକଙ୍କୁ ଡାକି ତଦନ୍ତ କରିଛି ପୋଲିସ୍ । କ୍ରାଇମବ୍ରାଞ୍ଚର ସାତ ଜଣିଆ ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟବସାୟ ଉପରେ ଚଢାଉପାଇଁ କ୍ରାଇମବ୍ରାଞ୍ଚର 7 ଜଣିଆ ଟିମ୍ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଲବାଡି ପଞ୍ଚାୟତର କାକେନ୍ଦ୍ରୀ ଗାଁକୁ ଯାଇଥିଲା । ଏହିସମୟରେ ତଦନ୍ତକାରୀ ସଂସ୍ଥା ଉପରେ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ । ଏଥିରେ 4 ଜଣ ଗୁରୁତର ଆହତ ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।
କ୍ରାଇମବ୍ରାଞ୍ଚ ଟିମର ପ୍ରଶାନ୍ତ କୁମାର ଭୋଇ, ସତ୍ୟାନନ୍ଦ ରାଉତ, ଅରୁଣ କୁମାର ନାୟକ, ଗଣେଶ୍ୱର ନାୟକ, ଶରତ କୁମାର ବେହେରା, ବିଳାସିନୀ ନାୟକ ଓ ଶୁଭେନ୍ଦୁ କୁମାର ଦାସ ଆକ୍ରମଣରେ ଆହତ ହୋଇଛନ୍ତି ।
ଅନ୍ୟପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିବାବେଳେ ଗାଁରେ ଉତ୍ତେଜନା ଲାଗିରହିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ