ଫୁଲବାଣୀ: ଯନ୍ତ୍ରଣାରେ କଟୁଛି ଶୈଶବ । ମେଡିକାଲ ବେଡରେ ଛଟପଟ ହେଉଛି ୧୬ ମାସର ଶିଶୁପୁତ୍ର । ଡାକ୍ତର କହୁଛନ୍ତି ପିଲାଟିକୁ ସ୍କାଇନାଲ ମାସ୍କୁଲର ଆଟ୍ରଫି ଟାଇପ ୨ ରୋଗ ହୋଇଛି । ଆମେରିକାରୁ ଇଞ୍ଜେକ୍ସନ ଆସିଲେ ପିଲାଟି ଭଲ ହେବ । ଏହି ଇଞ୍ଜେକ୍ସନର ଦାମ୍ ୧୬ କୋଟି । ସେପେଟ ଡେଲିଭରି ବୟ ଭାବେ କାମ କରୁଥିବା ପିଲାଟିର ବାପା ପାଇଁ ୧୬ କୋଟି ଟଙ୍କା ପାଲଟିଛି ସାତ ସପନ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆମ୍ବପଡା ଗ୍ରାମରୁ ସାମ୍ନାକୁ ଆସିଛି ଏହି କରୁଣ କାହାଣୀ । ଗାଁର କୁଳମଣି ରଣାଙ୍କ ୧୬ ମାସର ପୁଅ ରାଜବୀର sma ରୋଗରେ ପଡି ଏମିତି ଯନ୍ତ୍ରଣା ଭୋଗୁଛି ।
୨୦୨୦ ମାର୍ଚ୍ଚ ୨୨ ତାରିଖରେ ରାଜବୀରଙ୍କ ଜନ୍ମ । ଜନ୍ମର ୬ ମାସ ଯାଏଁ ପିଲାଟିର ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ଥିଲା । କିନ୍ତୁ ପରେ ତା'ର ଗୋଡ, ହାତ ଓ ପିଠି ତୁଳା ପରି ଲାଗିବାକୁ ଆରମ୍ଭ କଲା । ପିଲାଟିକୁ ମେଡିକାଲରେ ଦେଖାଇବା ପରେ ସେ ସ୍କାଇନାଲ ମାସ୍କୁଲର ଆଟ୍ରଫି ଟାଇପ ୨ ବା SMA ରୋଗରେ ପୀଡିତ ଥିବା ଜଣାପଡିଥିଲା । ପିଲାଟିକୁ ଭଲ ହେବା ପାଇଁ ଆମେରିକାରୁ ଜୋଲଗେନ୍ସସା ଇଞ୍ଜେକ୍ସନ ଦରକାର । ଯାହାର ମୂଲ୍ୟ ୧୬ କୋଟି । ସେପଟେ ବେଙ୍ଗାଲୁରୁରେ ଡେଲିଭରି ବୟ ଭାବେ କାମ କରୁଥିବା ବାପା କୁଳମଣି ପୁଅର ଚିକିତ୍ସା ପାଇଁ ଏଣୁ ତେଣୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଆଉ ଖର୍ଚ୍ଚ ପାଇଁ ପାଖରେ ଟଙ୍କାଟିଏ ନାହିଁ ।
ବର୍ତ୍ତମାନ ରାଜବୀର ବାଙ୍ଗାଲୋରସ୍ଥିତ ହାପିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତା'ର ଦେହ ଅଧିକ ଖରାପ ହେବାରୁ ବାପାମାଆ ବେଙ୍ଗାଲୁରୁରେ ହିଁ ଚିକିତ୍ସା କରୁଛନ୍ତି । ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆରେ ନିବେଦନ କରିବା ପରେ ୪ ଲକ୍ଷ ଟଙ୍କା ଯୋଗାଡ ହୋଇଛି । ସାଧାରଣ ଲୋକଙ୍କ ପାଖରୁ ଆଉ କେତେ ବା ଅର୍ଥ ମିଳିବ । ତେଣୁ ପୁଅକୁ ଭଲ କରିବା ପାଇଁ ଅସହାୟ ବାପାମାଆ ସରକାରୀ ସାହାର୍ଯ୍ୟ ମାଗିଛନ୍ତି ।
ଯଦି ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ ନ ହୁଏ ତେବେ ଏହି ନିଷ୍ପାପ ପିଲାଟି ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇପାରେ । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ରାଜବୀରଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟ ନଂରେ ଟଙ୍କା ପଠାଇପାରିବେ ।
ନାମ- କୁଳମଣି ରଣା
ଗ୍ରାମ-ଆମ୍ବପଡା
ପୋଷ୍ଟ- ଗଂଜୁଗୁଡା,
ବ୍ଲକ ଫୁଲବାଣୀ, ଜିଲ୍ଲା କନ୍ଧମାଳ
ଆକାଉଣ୍ଟ ନଂ- 625002010011600
IFC CODE ହେଉଛି UBIN 0562505
Union bank of india
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ