ଭବାନୀପାଟଣା : ବାଟବଣା ହେଉଛି ମନରେଗା ଯୋଜନା । ଶ୍ରମିକଙ୍କୁ ମିଳୁନି ପାଉଣା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଶ୍ରମିକଙ୍କ ମଧ୍ୟରେ। ଗରିବ ଖଟିଖିଆଙ୍କୁ ଆର୍ଥିକ ତଥା ସାମାଜିକ କ୍ଷ୍ରେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ।
ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ଜବକାର୍ଡ ବଣ୍ଟନ ସହ କାମ ବି ଯୋଗାଇ ଦିଆଯାଉଛି । ହେଲେ ମଜୁରୀ ଦେବାରେ ଦେଖାଦେଇଛି ବ୍ୟତିକ୍ରମ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକ ସିନ୍ଧିପଦର ଗାଁରୁ ।
ସିନ୍ଧିପଦର ଗାଁରେ ରହିଥିବା ଶ୍ରମିକଙ୍କ ହାତରେ ଜବକାର୍ଡ ଥିଲେ ମଧ୍ୟ ମନରେ ଭରି ରହିଛି କ୍ଷୋଭ । କାରଣ ମିଳୁନି ମଜୁରୀ । ଏହି ପଞ୍ଚାୟତର ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ମନରେଗା ଯୋଜନାରେ ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ବିଭିନ୍ନ ଜଙ୍ଗଳରେ ଗାତ ଖୋଳିବା, ଗଛ କାଟିବା ଓ ଗଛ ଲଗାଇବା ପାଇଁ ଶ୍ରମିକ ନିୟୋଜନ କରାଯାଇଥିଲା । ଶ୍ରମିକମାନେ ମଧ୍ୟ ଭଲ ଭାବେ କାମ କରିଥିଲେ । ହେଲେ କାମ କରିବାର ଆଜକୁ ପ୍ରାୟ ୧ ବର୍ଷ ପରେ ମଧ୍ୟ ଶ୍ରମିକଙ୍କୁ ମିଳିନି ମଜୁରୀ । ସେପଟେ ପାରିଶ୍ରମିକ ମିଳୁନଥିବାରୁ ଅନେକ କଷ୍ଟରେ ପରିବାର ଚଳାଉଛନ୍ତି ।
ଏହାମଧ୍ୟ ପଢ଼ନ୍ତୁ: ମନରେଗାରେ ଦୁର୍ନୀତି ଗନ୍ଧ! ୩ ବର୍ଷ ପରେ ବି ମିଳୁନି ପାରିଶ୍ରମିକ
ଏନେଇ ହିତାଧିକାରୀମାନେ ବାରମ୍ୱାର ରେଞ୍ଜ ଅଫିସରଙ୍କ ଦ୍ୱାରସ୍ଥ ହେଲେଣି । ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଶେଷରେ ଆଜି ପୁଣି ଥରେ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ରେଞ୍ଜରଙ୍କ ଜରିଆରେ ଡିଏଫଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଅଭିଯୋଗକାରୀ । ରାଜ୍ୟରେ ଦାଦନ ପ୍ରଥାକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟବରାଦ କରୁଛନ୍ତି । ହେଲେ ମନରେଗା ଯୋଜନାରେ ହିତାଧିକାରୀଙ୍କୁ ଦୀର୍ଘ ୧ବର୍ଷ ଧରି ମଜୁରୀରୁ ବଞ୍ଚିତ ରଖିବା ଏବେ ପରୋକ୍ଷରେ ଦାଦନ ପ୍ରଥାକୁ ସମର୍ଥନ ପରି ମନେହୁଏ ।
ଗୋଟେ ପଟେ ମନରେଗା ଯୋଜନା ମାଧ୍ୟମରେ ଜବ କାର୍ଡଧାରୀଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶୃତିବଦ୍ଧ । ହେଲେ ଏଠାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ହେଲେ ଏନେଇ ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଆଗକୁ ଏହି ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିବ କି ନାହିଁ ଯଦି ମିଳିବ କେବେ ମିଳିବ ତାହାରି ଅପେକ୍ଷାରେ ଶ୍ରମିକ ।
ଇଟିଭି ଭାରତ, କଳାହାଣ୍ଡି