ଭବାନୀପାଟଣା: ଗାଧୋଇବା ଯାଇଥିବା ବେଳେ ନିଖୋଜ ହୋଇଗଲେ ମହିଳା, ଏହା ଏକ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଲେ ଝିଅ ଘର ପରିବାର ଲୋକେ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ । ନିଖୋଜ ମହିଳା ଜଣଙ୍କ ହେଉଛନ୍ତି ଲିମା ନାଏକ । ଗତ ୨୬ ତାରିଖ ଦିନ ସକାଳୁ ଗାଧେଇବା ପାଇଁ ଯାଇ ଘରକୁ ନଫେରିବାରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କଲେ ମହିଳାଙ୍କ ବାପା ।
ନିଖୋଜ ମହିଳା ଜଣଙ୍କ ପୂର୍ବରୁ ବିବାହ କରି ସାରିଥିଲେ ମଧ୍ୟ ଗୋପାଳପୁର ଗାଁର ବୃନ୍ଦା ନାଏକଙ୍କ ପ୍ରେମରେ ପଡିଥିଲେ। ଏହା ପରେ ସେ ସ୍ବାମୀ ଓ ସନ୍ତାନକୁ ଛାଡି ବୃନ୍ଦାଙ୍କ ନିକଟକୁ ଚାଲିଯାଇଥିଲେ । କିନ୍ତୁ ବୃନ୍ଦା ନାଏକ ପୂର୍ବରୁ ବିବାହ କରିଥିବାରୁ ଥାନାରେ ଅଭିଯୋଗ ପରେ ଉକ୍ତ ମହିଳାଙ୍କୁ ଦ୍ବିତୀୟ ବିବାହ କରି ପ୍ରାୟ ଆଠ ମାସକାଳ ରହିଥିଲେ । କିଛି ଦିନ ପରେ ବୃନ୍ଦା ନାଏକ ଓ ତାଙ୍କ ପରିବାର ଲୋକେ ମହିଳାଙ୍କୁ ନିର୍ଯାତନା ଦେଇ ଆସୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ତେବେ ନିଖୋଜ ହେବା ପରେ ମହିଳାଙ୍କ ବାପା ଝିଅର ନିଖୋଜ ଘଟଣାକୁ ସ୍ଵୀକାର ନକରିବା ସହ ଏହା ଯୋଜନାବଦ୍ଧ ଭାବରେ ହୋଇଛି ବୋଲି ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି । ଯୌତୁକ ଓ ଶାରୀରିକ ମାନସିକ ନିର୍ଯାତନା ଦେଇଥିବାରୁ ମହିଳା ଲିମା ନାଏକ ଅତିଷ୍ଠ ହୋଇ ସେ କେଉଁ ଆଡେ ଚାଲିଯାଇଛି ନଚେତ ହତ୍ୟା କରାଯାଇଛି ବୋଲି କହିଛନ୍ତି ।