କଳାହାଣ୍ଡି: ସୁରୁଖୁରୁରେ ଚାଲିଛି 2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏହିକ୍ରମରେ ଆଜି କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ଭୋଟଗ୍ରହଣ । ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ ଭାଗିଦାର କରିବା ପାଇଁ ସମସ୍ତେ ଆଗ୍ରହୀ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ଠାରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଛି ।
ଗୁରୁବାର ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ମତଦାନ କେନ୍ଦ୍ର । ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ଯାଇଥିଲେ ମତଦାନ କେନ୍ଦ୍ରରେ । ସବୁଠାରୁ ବେଶୀ ଉତ୍ସାହିତ ଥିଲେ ନବଗତ ଭୋଟର । ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଗିଦାର ହୋଇ ମତଦାନ କରିବାକୁ ଆଗେଇ ଆସିଥିଲେ ସମସ୍ତବର୍ଗର ଭୋଟର
ଚଳିତ ନିର୍ବାଚନକୁ ନେଇ ବେଶ ସତର୍କ ଥିଲା କଳାହାଣ୍ଡି । ଆଜି ମତଦାନ ଥିବାରୁ ଗତକାଲି ଠାରୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ଜିଲ୍ଲାରେ ଥିବା ମୋଟ ୧୪୦୫ ପୋଲିଂ ବୁଥରେ ପୋଲିଂ ଅଫିସର ଭୋଟଦାନ ପାଇଁ ଆବଶ୍ୟକୀୟ ଉପକରଣ ସହ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଛନ୍ତି । ଏଥିସହିତ ମାଓପ୍ରବଣ ସମସ୍ତ ବ୍ଲକରେ ପୋଲିଂ କର୍ମଚାରୀଙ୍କୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ଜିଲ୍ଲାର ମୋଟ ୧୧ଲକ୍ଷ ୨୭ହଜାର ୬୮୩ ମତଦାତାଙ୍କ ପାଇଁ ମୋଟ ୧୪୦୫ଗୋଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୨୨୬ଟି ବୁଥକୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜିଲ୍ଳାର ମୋଟ ୧୩ଟି ବ୍ଲକରୁ ୧୧ଟି ବ୍ଲକ ମାଓପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
କଳାହାଣ୍ଡିରେ ଅବାଧ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇ ମହିଳା ପୋଲିଂ ବୁଥ ମଧ୍ୟ କରାଯାଇଥିବା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି । ଏହି ବୁଥରେ ସମସ୍ତ କର୍ମଚାରୀ ଭାବେ କେବଳ ମହିଳାଙ୍କୁ ହିଁ ନିୟୋଜିତ କରାଯାଇଛି । ପୋଲିଂ କର୍ମଚାରୀଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଛି।
କଳାହାଣ୍ଡିରୁ ଅଜିତ ସିଂହ, ଈଟିଭି ଭାରତ