ଭବାନୀପାଟଣା: ଶିକ୍ଷକଙ୍କ ଗୁଣ୍ଡାଗିରି ! କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଅଞ୍ଚଳରେ ଜଣେ ଶିକ୍ଷକ ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମାଳିଗାଁ ପଞ୍ଚାୟତର କେ ଚେପଟାଘାଟ ପ୍ରାଥମିକ ସ୍କୁଲର ଶିକ୍ଷକ ଅରୁଣ ନାଏକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ତାଙ୍କ ନାଁ ଶୁଣିଲେ ଗ୍ରାମବାସୀଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହେଉଛି । ଦୀର୍ଘବର୍ଷ ଧରି କିଛି ଅସାମାଜିକ ତତ୍ତ୍ୱଙ୍କ ସହ ମିଶି ଉକ୍ତ ଶିକ୍ଷକ ଗୁଣ୍ଡାରାଜ ଚଳାଇ ଆସୁଛନ୍ତି । ସବୁବେଳେ ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରିବା ସହ ମରଣାନ୍ତକ ମାଡ଼ ମାରୁଥିବା ନେଇ ଅଭିଯୋଗ ହୋଇଛି । ବିନା କାରଣରେ ଗ୍ରାମବାସୀ ବାରମ୍ବାର ଶିକ୍ଷକ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହେଉଥିବା ଘଟଣା ଅସହ୍ୟ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାଗରିକତ୍ବକୁ ସନ୍ଦେହ, ପ୍ରମାଣ ଦେବାକୁ ଆସିଲା ନୋଟିସ
ଏନେଇ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କଲାପରେ ମଧ୍ୟ ଶିକ୍ଷା ବିଭାଗ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଞ୍ଚଳବାସୀଙ୍କ ଉପରେ ଆକ୍ରମଣ କରୁବାରୁ ଲୋକେ ସମ୍ପୃକ୍ତ ଶିକ୍ଷକ ଅରୁଣ ନାଏକ ଙ୍କ ନାଁରେ ଥୁଆମୁଳ ରାମପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ସେଠାରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏସପି ଓ ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହୋଇଛନ୍ତି ଅଞ୍ଚଳବାସୀ । ଶିକ୍ଷକଙ୍କ ଉତ୍ପାତ ଯୋଗୁଁ ସେମାନେ ଗାଁ ଛାଡ଼ିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି । ଏସପି ଖୁବଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଗ୍ରାମବାସୀଙ୍କୁ ଏସପି ଗୋଟିଏ ଦିନ ସମୟ ମାଗିଥିବା ନେଇ କହିଛନ୍ତି ପଞ୍ଚାୟତବାସୀ ।
ଏନେଇ ଜଣେ ପଞ୍ଚାୟତବାସୀ କହିଛନ୍ତି, "ଶିକ୍ଷକ ଅରୁଣ ନାଏକ କିଛିଦିନ ହେବ ଆମ ଉପରେ ଅତ୍ୟାଚାର କରୁଛି । ପଞ୍ଚାୟତର କିଛି ମୁଖିଆଙ୍କ ସହ ମିଶି ଏଭଳି ଚଳାଇଛି । କିଛି କହିଲେ ଘରକୁ ଆସି ଧମକ ଦେବା ସହ ଗ୍ରାମବାସୀଙ୍କୁ ମାରପିଟ କରୁଛି । ଏନେଇ ଆମେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଆମେ ବାଧ୍ୟ ହୋଇ ଏସପିଙ୍କୁ ଭେଟିବା ପାଇଁ ଆସିଥିଲୁ ।"
ଇଟିଭି ଭାରତ, କଳାହାଣ୍ଡି