ଭବାନୀପାଟଣା: ଆଉ କିଛିଦିନ ପରେ କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ନେଇଛି ।
ଏହାସହ ଆରମ୍ଭରୁ ହିଁ ସ୍ବୟଂ ସହାୟକ ଗୋଷ୍ଠୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ଧର୍ମଗଡ଼ ବ୍ଲକ ନନ୍ଦ ଗାଁ ଅଞ୍ଚଳର ୫ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।
ନନ୍ଦ ଗାଁ ସମବାୟ ସମିତିରେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚୟନ ହୋଇଥିବା ବଜରଙ୍ଗ ବଳି ସ୍ବୟଂ ସହାୟକ ଗୋଷ୍ଠୀର କାଗଜପତ୍ର ସଠିକ ନଥିବା ପ୍ରଶାସନ ଜାଣିବା ସତ୍ତ୍ବେ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହି ଗୋଷ୍ଠୀଙ୍କୁ କିପରି ସାମିଲ କରାଗଲା ସେନେଇ ପ୍ରଶ୍ନ କରିଛନ୍ତି । ସେପଟେ ଧର୍ମଗଡ଼ ଉପଜିଲ୍ଲାପାଳ ଅଭିଯୋଗର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ