ଭବାନୀପାଟଣା: ମହାମାରୀ ନୁହେଁ ତ ମହାବିପତ୍ତି ହୋଇ ଛିଡା ହୋଇଛି କୋରୋନା । କାହା ଠୁ ଜୀବନ ଛଡାଇ ନେଇଛି ତ ଆଉ କାହାଠୁ ଜୀବିକା । ପ୍ରାୟ ଦେଢବର୍ଷ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି ଏହି ମହାମାରୀ । ଅର୍ଥନୀତି, ଶିକ୍ଷା, ଯାନି ଯାତ୍ରା, ମେଳା ମହୋତ୍ସବ ସବୁଠି କୁପ୍ରଭାବର ଛାପ ଛାଡିଯାଉଛି ଅଦୃଶ୍ୟ ଭୂତାଣୁ । କେବେ ଏ ମହାମାରୀ ଯିବ ବୋଲି ପ୍ରଥମ ଲହରରେ ଲୋକେ ଅପେକ୍ଷା କରିଥିବାବେଳେ ଦ୍ବିତୀୟ ଲହର ଆସି ଭାଙ୍ଗିଦେଇଛି ମେରୁଦଣ୍ଡ। ଫଳରେ ସହରରେ ରହି ଦୁଇ ପଇସା କମାଇବା ଆଶା ହେଉ କିମ୍ବା ପିଲାଛୁଆଙ୍କୁ ଭଲ ଶିକ୍ଷା ଆଶାରେ ଥିବା ଲୋକେ ଏବେ ଗାଁ ମୁହାଁ...
ସମସ୍ୟାରେ ଭଡାଟିଆଙ୍କ ସାଙ୍ଗକୁ ଘର ମାଲିକ କୋରୋନାରୁ ମୁକ୍ତ ହେବା ପାଇଁ ଶେଷ ରାସ୍ତା ହେଉଛି ଲକଡାଉନ କିମ୍ବା ସଟଡାଉନ । ତେଣୁ ରାଜ୍ୟ ସରକାର ଲକଡାଉନ ଅବଧି ବଢାଇ ଚାଲିଥିବାବେଳେ ସପ୍ତାହାନ୍ତ ସଟଡାଉନକୁ ବଳବତ୍ତର ରଖିଛନ୍ତି । ଏଥିପାଇଁ ବ୍ୟବସାୟ, କର୍ମସଂସ୍ଥାନ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଭଡାଟିଆଙ୍କ ନିକଟରୁ ଘରଭଡା ଆଦାୟ ନ କରିବାକୁ ଘର ମାଲିକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଘର ମାଲିକ ମଧ୍ୟ ନିୟମ ମାନିଛନ୍ତି । ହେଲେ ଏପରି କେତେଦିନ ଚାଲିବ । କେତେଦିନ ଏପରି ଘର ମାଲିକକୁ ଭଡା ନଦେଇ ବିନା ରୋଜଗାରରେ ପରିବାର ପ୍ରତିପୋଷଣ କରିହେବ । ଶେଷରେ ବାଧ୍ୟ ହୋଇ ଗାଁ ମୁହାଁ ହେଉଛନ୍ତି ସହରରେ ରହୁଥିବା ଭଡାଟିଆ । ଏପରିସ୍ଥିତିରେ ସମାନ ଅବସ୍ଥା ମଧ୍ୟ ଭୋଗୁଛନ୍ତି ଘର ମାଲିକ । ଦୁଇ ପଇସା ଆଶାରେ ଋଣ ନେଇ ଘର ତିଆରି କରିଥିବା ଘର ମାଲିକ ମୁଣ୍ଡରେ ଏବେ ଚଡକ ପଡିଛି । ପ୍ରତିମାସ EMI ଦେଇନପାରିବାରୁ ବ୍ୟାଙ୍କରୁ ଆସୁଛି ଘନ ଘନ କଲ୍ ।ମହାମାରୀ ମାଡରେ ସମସ୍ୟା ଭୋଗୁଛନ୍ତି ଉଭୟ ଘର ମାଲିକ ଏବଂ ଭଡାଟିଆ । ଏଭଳି ସ୍ଥିତିରେ ସରକାର ମାଲିକଙ୍କ ଋଣ ଛାଡ ଏବଂ ଭଡାଟିଆଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକତା ପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ