ଭବାନୀପାଟଣା:ଶୀତ ଯିବ ଯିବ ହେଉଛି ଆଉ ଧୀରେ ଧୀରେ ପାଦ ଚାପି ଚାପି ପ୍ରବେଶ କରୁଛି ବସନ୍ତ । ଋତୁ ରାଜ ବସନ୍ତର ଆଗମନରେ ଖେଳି ଉଠିଛି ପ୍ରକୃତିରାଣୀ । ମୃଦୁ ମଳୟ ପବନ ସାଙ୍ଗକୁ କୋଇଲିର କୁହୁ କୁହୁ ଡାକ ପ୍ରକୃତି ମନରେ ସୃଷ୍ଟି କରୁଛି ନୂଆ ଉନ୍ମାଦନା । ପତ୍ର ଝଡା ପରେ ବୃକ୍ଷରାଜି ଧାରଣ କରୁଛି ନବପଲ୍ଲବ । ଏତିକି ବେଳେ ବଉଳର ବାସ୍ନାରେ ମହକି ଉଠୁଛି ଚତୁର୍ଦ୍ଦିଗ । କାରଣ ଫଗୁଣ ମାସରେ ଆମ୍ବ ଗଛରେ ପେନ୍ଥା ପେନ୍ଥା ବଉଳ ପୁଷ୍ପବତୀ ହେବାକୁ ପ୍ରସ୍ତୁତ ହେଉଛି । ପ୍ରକୃତିର ଏହି ମନୋରମ ଓ ହୃଦୟସ୍ପର୍ଶୀ ଦୃଶ୍ୟକୁ ଦେଖି କଳାହାଣ୍ଡିରେ କବି ଲେଖନୀରୁ ଆପେ ଆପେ ଝରିପଡେ କବିତାର ଧାର ।
ଆମ୍ବ ବଉଳର ବାସ୍ନା ତା ସାଙ୍ଗକୁ କୋଇଲିର କୁହୁକୁହୁ ତାନ...ପ୍ରେମର ନୂଆ ଏକ ଫଲଗୁ ନେଇ ଆସିଛି । ଖାଲି ମଣିଷ ନୁହେଁ ପଶୁପକ୍ଷୀଙ୍କ ମନକୁ ଆନମନା କରିଥାଏ । ବାଟୋଇର ବାଟ କେତେବେଳେ ଯେ, ତା ଅଜ୍ଞାତରେ ଅପସରି ହୋଇଯାଏ, ସେ ମଧ୍ୟ ଜାଣିପାରେନା । ଆଉ କ୍ଲାନ୍ତ ଦୂର କରିବାକୁ ଗଛ ମୂଳେ କ୍ଷଣଟିଏ ବସିପଡିଲେ ମନରେ ଆସିଯାଏ ଅସୁମାରୀ ଶାନ୍ତି । କୋଇଲିର ପଞ୍ଚମ ରାଗିଣୀ ତା ମନରେ କୁଙ୍କୁମ ଲେପେ । ଆଉ ମନେ ପକେଇ ଦିଏ ପିଲାଦିନର କିଛି ଅଛପା ସ୍ମୃତି । ଯାହାକୁ ନେଇ ଭାବ ବିହ୍ବଳ ହୋଇପଡନ୍ତି କବି । ମନର କାନଭାସରୁ ଆପେ ଆପେ ଭାସି ଆସେ ଦୁଇ ଚାରୋଟି ପଂକ୍ତି । ଋତୁରାଜ ବସନ୍ତର କୁହୁକୁହୁ ରାଗିଣୀରେ ପୁଲକିତ ପ୍ରକୃତିରାଣୀ । ମଳୟ ପବନରେ ଉତଫୁଲ୍ଲିତ ଜୀବଜଗତ । ଯାହା ଦେହ, ମନ, ପ୍ରାଣକୁ କରୁଛି ମନ୍ତ୍ରମୁଗ୍ଧ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ