ଭବାନୀପାଟଣା : ଭାଇକୁ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଭଉଣୀର ଜୀବନ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଲିଟିମସ୍କା ଗାଁରେ। ମୃତକ ଜଣକ ହେଉଛନ୍ତି ରଚନା ମାଝୀ । ସୂଚନାନୁସାରେ ରଚନାଙ୍କ ଭାଇ ଭବାନୀପାଟଣା କଲେଜରେ ରହି ପାଠ ପଢ଼ୁଥିଲେ ।
ତେବେ ଆଜି ସକାଳେ ରଚନା ଓ ତାଙ୍କ ସାନ ଭଉଣୀ ଭାଇ ପଢୁଥିବା ଉକ୍ତ କଲେଜର ହଷ୍ଟେଲକୁ ଯାଇ ରାକ୍ଷୀ ବାନ୍ଧିଥିଲେ । ରାକ୍ଷୀ ବାନ୍ଧିବା ପରେ ରଚନା ଓ ତାଙ୍କ ଭଉଣୀ ଘରକୁ ଫେରୁଥିଲେ । ହେଲେ ସେହି ସମୟରେ ଘୋଡାଘାଟ ଛକ ନିକଟରେ ଏକ ଟ୍ରକ ଆସି ଉଭୟଙ୍କୁ ଚାପି ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ରଚନା ମାଝୀଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ମାରିଥିବା ନେଇ ପୋଲିସ ସୂଚନା ଦେଇଛି।
ଇଟିଭି ଭାରତ, କଳାହାଣ୍ଡି