ଭବାନୀପାଟଣା: ମାଓଗଡ଼ରେ ଜନ ସମ୍ପର୍କ ଶିବିରରେ ଲୋକଙ୍କ ମନ କିଣିଲେ CRPF ଯବାନ । ମାଓଗଡ ଭାବେ ପରିଚିତ ମୋହନଗିରି ଅଞ୍ଚଳରେ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କଲେ ଯବାନ । ପୋଲିସ ଓ ଜନସାଧାରଣ ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ରହି ପାରିବ ସେନେଇ ଲୋକଙ୍କୁ ବୁଝାଇଥିଲେ CRPF ଯବାନ । ଆଜି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିଠାରେ CRPF ୬୪ ବାଟାଲିୟନ ପକ୍ଷରୁ ଏହି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଥିଲା । ଯେଉଁଥିରେ ଅନେକ ଜନସାଧାରଣ ସାମିଲ ହୋଇଥିଲେ ।
ମୋହନଗିରି ଅଞ୍ଚଳରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଗଠନ କରିବା ପାଇଁ CRPFର ୬୪ ବାଟାଲିୟନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ୍ ପଙ୍କଜ ଚୌଧୁରୀ ଯୋଗ ଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି ପ୍ରକାଶ କରିଥିଲେ।
ଏହା ମଧ୍ୟ ପଢନ୍ତୁ-କଳପଡାରେ ବୋଇତ ବନ୍ଦାଣ ଉତ୍ସବକୁ ୧୫ବର୍ଷ, ଅଧିକ ଭାର ଯୋଗୁଁ ଚାଲିଲାନି ଡଙ୍ଗା
ସେହିପରି ଜିଲ୍ଲାର ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ମାଓଗଡ଼ ଭାବରେ ପରିଚିତ ଲଡାଙ୍ଗ ଗାଁରେ ଥିବା CRPFର କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଭଳି ଶିବିର ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପ୍ରୟାସ କରାଯାଇଛି । ଅନୁଷ୍ଠିତ ଶିବିରରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅମଠା ପଦର, ଗନ୍ଧନୀ, ଫୁଲଡୁମେର, ଖେମୁଣ୍ଡିପଦର, ଆମଗୁଡା, ସାପଚଞ୍ଚରା ଆଦି ଗ୍ରାମବାସୀ ସାମିଲ ହୋଇଥିଲେ । ଆଜି ଗୋଟିଏ ଦିନରେ ଜିଲ୍ଲାର ବିଭିନ୍ନ ମାଓ ଇଲାକାରେ ଥିବା CRPF ୬୪ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମବାସୀମାନଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା।
ଇଟିଭି ଭାରତ, କଳାହାଣ୍ଡି