ଭବାନୀପାଟଣା: ଋତୁରାଜ ବସନ୍ତର ଆଗମନରେ ଚାରିଆଡ଼େ ଦେଖିବାକୁ ମିଳୁଛି ପଳାଶ ଫୁଲ । ପ୍ରକୃତିର ଏହି ଷଷ୍ଠ ଋତୁ ବସନ୍ତ ଋତୁ ସମସ୍ତଙ୍କୁ ଆକର୍ଷିତ କରିଥାଏ । ତେଣୁ ବସନ୍ତ ଋତୁକୁ ଋତୁମାନଙ୍କ ରାଜା ବୋଲି କୁହାଯାଏ । ଧରଣୀ ରାଣୀର ଏହି ସୁନ୍ଦର ରୂପଟିକୁ ଦେଖି କୋକିଳ ତା'ର ସୁମଧୁର କଣ୍ଠରେ ସଂଗୀତ ଗାନ କରି ଉଠୁଥିବା ବେଳେ ଭ୍ରମରର ଗୁଣୁଗୁଣୁ ଶବ୍ଦ ସହିତ ଦୂରରୁ ଶୁଣାଯାଉଥିବା କୁମ୍ଭାଟୁଆ ଚଢେଇର ଶବ୍ଦ ପରିବେଶକୁ ଆହୁରି ମନମୁଗ୍ଧକର କରିଦିଏ ।
ଗୋଟିଏ ପଟେ ମହୁଲ ଫୁଲର ବାସନାରେ ସାରା ପରିବେଶ ଶୋଭାବର୍ଦ୍ଧନ କରୁଥିବା ବେଳେ ଅନ୍ୟପଟେ ବାସ ନଥିବା ପଳାଶ ଫୁଲ କେବଳ ତା'ର ଆକର୍ଷିତ ରଙ୍ଗ ଓ ରୂପରେ ସମସ୍ତଙ୍କ ମନ ମହୁଛି । ପ୍ରକୃତିର ଏହି ମନୋରମ ଓ ହୃଦୟ ସ୍ପର୍ଶୀ ଦୃଶ୍ୟକୁ ଦେଖି କଳାହାଣ୍ଡିର କବି ଲେଖନୀରୁ ଆପେଆପେ ଝରିପଡେ କବିତାର ଧାର। ବସନ୍ତ ମଳୟ ପବନରେ ଉତଫୁଲିତ ଜୀବଜଗତ । ବାସ ନଥିଲେ ବି ପଳାଶ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପେନ୍ଥା ପେନ୍ଥା ପଳାଶ ଫୁଲ ଯୋଗୁଁ ଏବେ ରଙ୍ଗୀନ୍ ଓ ମନଲୋଭା ପରିବେଶ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କେଉଁଠି ପଳାଶ ଓ ଶିମିଳି ଫୁଲର ରଙ୍ଗରେ ପରିବେଶ ଲାଲ ଦେଖାଯାଉଥିବା ବେଳେ କେଉଁଠି ମହୁଲ ଫୁଲର ବାସନାରେ ସାରା ପରିବେଶ ସୁଗନ୍ଧମୟ ହୋଇ ଉଠିଥାଏ ।
ଏହି ଋତୁରେ ଗୋଟିଏ ପଟେ ବହୁ ସୁଗନ୍ଧିତ ଓ ରଙ୍ଗ ବିରଙ୍ଗ ଫୁଲ ଶୋଭା ବର୍ଦ୍ଧନ କରୁଥିବା ବେଳେ ଅନ୍ୟପଟେ ଗନ୍ଧ ଓ ବାସ ନଥିବା ପଳାଶ ଫୁଲ କେବଳ ତା'ର ଆକର୍ଷିତ ରଙ୍ଗ ଓ ରୂପରେ ସମସ୍ତଙ୍କୁ ଆକୃଷ୍ଟ କରି ରଖିଥାଏ । ବସନ୍ତ ଋତୁରେ ଏହି ପଳାଶ ଫୁଲର ମହତ୍ତ୍ବ ପୁରାଣରେ ବର୍ଣ୍ଣିତ ଥିବାବେଳେ ଏହି ଋତୁରେ ଅନୁଷ୍ଠିତ ହେଉଥିବା ହୋଲି ପର୍ବ, ଚୈତ୍ର ମାସରେ ପାଳିତ ହେଉଥିବା ଆଦିବାସୀଙ୍କ ଆଦ୍ୟ ପୂଜା ଓ ଯାତ୍ରାରେ କେବଳ ଏହି ପଳାଶ ଫୁଲ ଅର୍ପଣ କରାଯିବାର ପରମ୍ପରା ରହିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ