ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମିବାର ନାଁ ନେଉନି ଝାଡାବାନ୍ତି । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏବେ ବ୍ୟାପିବାରେ ଲାଗିଛି ମହାମାରୀ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପାଇଁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍ବାସ୍ଥ୍ୟ ବିଭାଗ (Health Department) ଲୋକଙ୍କୁ ସଚେତନ ମଧ୍ୟ କରାଇଛି ।
ସୂଚନା ଅନୁଯାୟୀ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ (Diarrhea outbreak in Thuamul Rampur)ର ଉପାନ୍ତ ଅଞ୍ଚଳ ନାକରୁଣ୍ଡି ଗାଁରେ ଗତ ୭ ଦିନ ହେଲା ଡାଇରିଆ ଆତଙ୍କ ଦେଖାଦେଇଛି । ଗାଁର ୨୦ରୁ ଊର୍ଦ୍ଧ୍ବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛି । ଏହା ସହ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରିଛି । ସେପଟେ ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।
ଏହା ବି ପଢନ୍ତୁ- ଥୁଆମୂଳ ରାମପୁର ବ୍ଳକରେ ଥମୁନି ଡାଇରିଆ ଆତଙ୍କ
ଅନ୍ୟପଟେ ଗାଁରେ ଥିବା ୮ଟି ନଳକୂପରୁ ନମୁନା ସଂଗ୍ରହ କରାଯାଇଥିବା ମେଡ଼ିକାଲ ଟିମ ସୂଚନା ଦେଇଛନ୍ତି । ସେପଟେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ନାକରୁଣ୍ଡି ସସାରୀ ଦେଈ ଗତ ୩ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ, ହେଲେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାମପୁର ବ୍ଲକର ଭାଟିପାସ ଗାଁରେ ମଧ୍ୟ ଡାଇରିଆ ଆତଙ୍କ ଦେଖାଦେଇଛି । ଏହି ଗାଁରେ ବର୍ତ୍ତମାନ ସୁଦ୍ଧା ୧୩ରୁ ଊର୍ଦ୍ଧ୍ବ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।
ଏ ସମ୍ପର୍କରେ ଖବର ପାଇ ଗାଁରେ ସ୍ବାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା । ଏଥିସହ ଗାଁରେ ଥିବା ଗୋଟିଏ ନଳକୂପର ପାଣି ବ୍ୟବହାର କରିବା ସହ ନିକଟରେ ଥିବା ନାଳର ପାଣି ଲୋକେ ବ୍ୟବହାର କରିଥାନ୍ତି । ଏହି ଦୂଷିତ ପାଣି ପାଇଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ଟିମ । ପାଣିକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ଟିମ ଲୋକଙ୍କୁ ସଚେତନ କରିଛି ।
ଇଟିଭି ଭାରତ, କଳାହାଣ୍ଡି