କଳାହାଣ୍ଡି: ରଖେଇ ବସେଇ ଦେଉନାହାଁନ୍ତି ଜଙ୍ଗଲି ହାତୀ । ଗଜରାଜଙ୍କ ଆତଙ୍କରେ ଭୟଭୀତ ହୋଇରହିଛି କଳାହାଣ୍ଡିର ନର୍ଲା ବ୍ଲକ ଅନ୍ତର୍ଗତ ତେର୍ଲୋ ଗାଁ । ଗୁରୁବାର ସକାଳୁ ମହୁଲ ଗୋଟାଇବାକୁ ଯାଇଥିବାବେଳେ ଗାଁର ସପୁରୀ ବାରିକଙ୍କୁ ହାତୀ ଦଳିଦେଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋରେ ନର୍ଲା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ମହିଳାଙ୍କ 2 ଜଙ୍ଘରେ ଗଭୀର ଆଘାତ ଲାଗିଥିବାବେଳେ ଆଖି କ୍ଷତବିକ୍ଷତ ହୋଇଯାଇଛି । ଗତ କିଛି ଦିନ ତଳେ ଶ୍ରୀପଲୀ ଗାଁ ନିକଟ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଥିଲେ । ଏଥିଲାଗି ବନ ବିଭାଗ ପକ୍ଷରୁ ଉକ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିଲା । ହେଲେ ଏବେ ସୁଦ୍ଧା ଏତେଟା ସରକାରୀ ସାହାଯ୍ୟ ମଧ୍ୟ ମିଳିନି ବୋଲି ଅଭିଯୋଗ ହୋଇଛି ।
ନର୍ଲା ଓ ରାମପୁର ବନାଞ୍ଚଳରେ ବର୍ଷ ବର୍ଷ ଧରି ହାତୀ ଚଳାଚଳ ହେଉଥିବାରୁ ଏହି ଅଞ୍ଚଳକୁ ହାତୀ ଅଭୟାରଣ୍ୟ ଭାବେ ଘୋଷିତ କରି ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଦାବି ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂ , ଇଟିଭି ଭାରତ