ଭବାନୀପାଟଣା: ପିକଅପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମାହାଜନଗୁଡାରେ । ତେବେ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇ ଫେରିବା ବେଳେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଗତକାଲି ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ପହଞ୍ଚି ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ। ପରେ ସେଠାରୁ ହେଲିକପ୍ଟର ଯୋଗେ ଆମପାଣିରେ ପହଞ୍ଚି ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ ରାସ୍ତାର ଉଦଘାଟନ କରିବା ସହ ଜନ ସମାବେଶକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଛୁଆଠୁ ବୁଢ଼ା ସମସ୍ତ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଲାଗିଥିଲା ଶହଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଗାଁର ଦୁର୍ଯ୍ୟୋଧନ ମାଝୀ ଓ ଦେବାଶିଷ ବାଗ ମଧ୍ୟ ଏକ ବାଇକ ଯୋଗେ ଆମପାଣିକୁ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରିବା ସମୟରେ ମାହାଜନଗୁଡା ନିକଟ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଦୁର୍ଯ୍ୟୋଧନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଦେବାଶିଷ ବାଗ ଗୁରୁତର ହୋଇଥିଲେ ।
ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକୁ ଉଦ୍ଧାର କରି ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଯୁବକଙ୍କ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଜବତ କରିଛି । ଏହାସହ ଡ୍ରାଇଭରକୁ ଅଟକ ରଖିଥିବା ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି ପୋଲିସ । ତେବେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆରମ୍ଭ କରିଛି ପୋଲିସ ।
ଇଟିଭି ଭାରତ, କଳାହାଣ୍ଡି