କଳାହାଣ୍ଡି: ଦିନକୁ ଦିନ ଅଲୋଡା ହେଉଛି ମାଟି ତିଆରି ସାମଗ୍ରୀ । ଭାଗ୍ୟକୁ ଆଦରି ବସିଛନ୍ତି କୁମ୍ଭକାର ପରିବାର । ଘିରି ଘିରି ହୋଇ ଘୁରୁଛି ଚକ, ଆଉ ତାସାଙ୍ଗରେ ଘୁରୁଛି କୁମ୍ଭକାର ପରିବାରର ଭାଗ୍ୟ । ଆର୍ଥିକ ଅନାଟନ ଭିତରେ ପେସି ହେଉଛି କୁମ୍ଭକାର ପରିବାର । ଏହି କୌଳିକ ବୃତ୍ତିକୁ ନୂତନ ପିଢ଼ି ମୁହଁ ମୋଡି ସାରିଥିବା ବେଳେ କିଛି ପରିବାର ବାପ ଅଜାଙ୍କ ଏହି ବୃତ୍ତିକୁ ବଞ୍ଚେଇ ରଖିବା ଉଦ୍ୟମ ଜାରି ରଖିଛନ୍ତି ।
ରାତି ପାହିଲେ ଦୀପାବଳି । ସବୁଥର ଭଳି ଏଥର ମଧ୍ୟ ଦୀପ ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି ଜୟପାଟଣା ବ୍ଲକ ବଡ କର୍ଲାକୋଟ ଗ୍ରାମରେ ଥିବା କୁମ୍ଭକାର ପରିବାର । ଦୀପକୁ କିଛି ଗ୍ରାମାଞ୍ଚଳ ଲୋକ ଆପଣେଇ ଥିବା ବେଳେ ଅଧିକାଂଶ ସହରୀ ଲୋକ ପ୍ଲାଷ୍ଟିକ ଓ ଚାଇନାର ରଙ୍ଗ ବେରଙ୍ଗ ଦୀପକୁ ନେବାକୁ ପସନ୍ଦ କରୁଛନ୍ତି ।
ଏନେଇ କୁମ୍ଭକାର କୁହନ୍ତି, ଆମେ ମାଟିରେ ନିଜକୁ ହଜାଇ ନିଜ ବାପ ଅଜା ଅମଳରୁ କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିବା ବେଳେ ଆଗାମୀ ପିଢ଼ି ଏହି ବୃତ୍ତିରୁ ମୁହଁ ମୋଡି ସାରିଲେଣି । ତେବେ ସାମୟିକ ଭାବରେ କିଛି ଅର୍ଥ ରୋଜଗାର ପାଇଁ ଦୀପାବଳି ପର୍ବରେ ଦୀପ ତିଆରି କରୁଛୁ ।
ଅନ୍ୟପଟେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁଁ ଦାଦନ ଖଟିବାକୁ କିଛି ଯୁବକ ବାହାର ରାଜ୍ୟରେ କାମ କରୁଥିବା ଜଣାପଡିଛି । ବଜାର ଚାହିଦା ନ ଥିବାରୁ ପେଟ ପାଟଣା ପାଇଁ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି ବଡ କର୍ଲାକୋଟ ଗ୍ରାମର କୁମ୍ଭକାର ।
ସରକାର ତରଫରୁ ମାଟି କାରିଗରଙ୍କ ପାଇଁ ତାଲିମ ଓ ଓରମାସ ଦ୍ବାରା କୁମ୍ଭକାର ମାନଙ୍କ ମାଟିରେ ନିର୍ମିତ ସାମଗ୍ରୀ ବଜାର ବ୍ୟବସ୍ଥା ଥିଲେ ବି କିଛି ଲାଭ ମିଳୁନଥିବା ସେମାନେ କହିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ