ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ମାଆ ତଥା ବିଧାୟିକା ରୋଶନି ସିଂହଦେଓଙ୍କ ପରଲୋକ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ସହ ଶୋକ ପ୍ରକାଶ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର(Odisha Assembly Speaker Tribute To Former MLA Roshni Singhdeo Death) ।
ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କ ଆଜି(ଶୁକ୍ରବାର) ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବିଜେଡି ଯୁବ ପାର୍ଟି ଅଫିସରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବିଧାନସଭାରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଜଣେ ପରୋପକାରୀ ବ୍ୟକ୍ତିତ୍ବ ଏବଂ ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିଥିବା ବାଚସ୍ପତି କହିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବାଚସ୍ପତି ।
ରୋଶନି ସିଂହଦେଓଙ୍କ ବିୟୋଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ପୂର୍ବତନ କୋକସରା ବିଧାୟିକାଙ୍କ ପରଲୋକ
ରୋଶନି ସିଂହଦେଓ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ଦୁଇଥର କୋକସରା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ରହିଥିଲେ । ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳରୁ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ଥିଲେ । ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ ବିଜୁ ଜନତା ଦଳରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଥିଲେ । ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ