ଭବାନୀପାଟଣା: ଦୁଇ ବର୍ଷ ପରେ ଦୁଲୁକିବ ନୃତ୍ୟ ସଙ୍ଗମ ମଞ୍ଚ । ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସଵରେ ପ୍ରଦର୍ଶିତ ହେବ ଆଦିବାସୀ ସଂସ୍କୃତି ଓ ପରମ୍ପରା । ନଭେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ଏହି ଉତ୍ସବ ।
ଶୁକ୍ରବାର ଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଠାରେ ଆରମ୍ଭ ହେବାକୁ ଯାଉଛି ୨୨ ତମ ଜାତୀୟ ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସବ । ଦୀର୍ଘ ଦୁଇ ବର୍ଷ କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କଟକଣା ହଟି ଯାଇଥିବା ଯୋଗୁଁ ଏହି ଉତ୍ସବ ଧୁମଧାମରେ ପାଳନ ହେବ । ନଭେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ଆସାମ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟର କଳାକାର ନିଜ ନିଜ ପାରମ୍ପରିକ ଲୋକ ଗୀତ ଲୋକ ନୃତ୍ୟ ଏହି ନୃତ୍ୟ ସଙ୍ଗମ ମଞ୍ଚରେ ପରିବେଷଣ କରିବେ ।
ଏହା ମଧ୍ୟ ପଢନ୍ତୁ: ଅଭିନେତା ବିକ୍ରମ ଗୋଖଲେ ମୃତ୍ୟୁ ଖବର ଗୁଜବ, ସୂଚନା ଦେଲେ ଝିଅ
ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରରୁ ସଂସ୍କୃତି ଶୋଭାଯାତ୍ରାରେ ବାହାରିବ ମଶାଲ । ପରେ ଶୋଭାଯାତ୍ରାରେ ମଶାଲ ସହର ପରିକ୍ରମା କରିବା ପରେ ଲାଲବହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ପହଞ୍ଚିବା । ଏହାପରେ ଆରମ୍ଭ ହେବ ସାଂସ୍କୃତିକ ସନ୍ଧ୍ୟା । ଏନେଇ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ପକ୍ଷରୁ ଏକ ବୈଠକ ଆୟୋଜିତ କରାଯାଇଥିଲା । ଏହି ବୈଠକରେ ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା, ଉପ ସଭାପତି ଦେବେଶ ସିଂ, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ, ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରତିଭା ଅନୁଷ୍ଠାନର ସମ୍ପାଦକ କହିଛନ୍ତି, " କୋଭିଡ କଟକଣା ଯୋଗୁଁ 2ବର୍ଷ ହେଲା ବନ୍ଦ ରହିଥିଲା ପାରମ୍ପରିକ ଓ ଆଦିବାସୀ ଲୋକ ନୃତ୍ୟ ଉତ୍ସବ । ଚଳିତ ବର୍ଷ ବିନା କଟକଣାରେ ଆୟୋଜିତ ହେବ । ଏହା ଆମ ପାଇଁ ଏକ ଖୁସି ଖବର । ଆମେ ରାଜ୍ୟ ବାହାରୁ କଳାକାରମାନଙ୍କୁ ଆମନ୍ତ୍ରଣ କରିଛୁ । ଏହି ଅବସରରେ ନ୍ୟାସନାଲ ଟ୍ରାଇବାଲ ଫେଣ୍ଟିଂ କମ୍ପିଟିସନ ଆୟୋଜିତ ହେବ । ସମସ୍ତେ ଆସି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତୁ ବୋଲି ଆମେ ସମସ୍ତଙ୍କୁ ଅନୁରୋଧ କରୁଛି । ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆନ୍ତରିକତା ସହ ନିବେଦନ କରୁଛୁ ।"
ଇଟିଭି ଭାରତ, କଳାହାଣ୍ଡି