ଭବାନୀପାଟଣା: ନବ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗତ ମାସରେ ପରିବାରଲୋକଙ୍କ ବିରୋଧରେ ଯାଇ ସେ ପ୍ରେମ ବିବାହ କରିଥିଲେ । ମୃତ ମହିଳାଙ୍କ ନାମ ଲତା ଗୋପାଳ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ଗାଁର ଲତା ଗୋପାଳ ଘୁମେରଗୁଡା ଗାଁର ଧନଞ୍ଜୟଙ୍କୁ ପ୍ରେମ ବିବାହ କରିଥିଲେ ।
ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ପରେ ବିବାହ ପାଇଁ ପରିବାର ଲୋକଙ୍କୁ କହିଥିଲେ ଲତା । ମାତ୍ର ଏଥିରେ ଲତାଙ୍କ ପରିବାର ରାଜି ହୋଇନଥିଲେ । ପରିବାର ବିରୋଧରେ ଯାଇ ଲତା ଧନଞ୍ଜୟଙ୍କୁ ଗତ ମାସରେ ପ୍ରେମ ବିବାହ କରିଥିଲେ । ମାତ୍ର ଆଜି ଶାଶୁଘରେ ବୋହୂର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ପରେ ପୋଲିସ ଓ ଲତାଙ୍କ ବାପଘରକୁ ଖବର ଦେଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି ଅଭିଯୋଗ ଆଣିଛନ୍ତି ଲତାଙ୍କ ବାପଘର ଲୋକେ । ମୃତ ମହିଳାଙ୍କ ସ୍ବାମୀକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
ଇଟିଭି ଭାରତ, କଳାହାଣ୍ତି