କଳାହାଣ୍ଡି: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବାଲିଗଦାରେ ନିର୍ଦ୍ଦୟ ଅବସ୍ଥାରେ ପଡିରହିଥିଲା ଏକ ନବଜାତ ଶିଶୁକନ୍ୟା । ଯାହାର କୁଆଁ କୁଆଁ କାନ୍ଦ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା । ଏଭଳି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ସଦର ଥାନାର ମାଣିଙ୍ଗପଦର ଗାଁରେ ଘଟିଛି ।
ନିଜ ଅବୈଧ ସମ୍ପର୍କର କଳା କାହାଣୀ ଲୁଚାଇବାକୁ ଯାଇ ଜନ୍ମିତ କନ୍ୟାକୁ ବାଲିଗଦାରେ ଫିଙ୍ଗିଲା ମା । ଦୁନିଆକୁ ଆସିବା ପରେ ପାଖରେ ନାହିଁ ବାପା ମା'ର ପରିଚୟ । ଏକବିଂଶ ଶତାବ୍ଦୀରେ ଏଭଳି ବିକୃତ ମାନସିକତା ନିଷ୍ପାପ ଶିଶୁକୁ ଯାତନା ଦେଇଛି । ତେବେ ଗ୍ରାମବାସୀଙ୍କ ଉଦ୍ୟମରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ପୋଲିସକୁ ସୂଚନା ଦିଆଯାଇଛି । ଡାକ୍ତରଖାନାରେ ଶିଶୁଟି ଚିକିତ୍ସିତ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।
ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ ଏବେ ଶିଶୁକନ୍ୟାର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ । ସେପଟେ ଦୋଷୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ