କନ୍ଧମାଳ: କନ୍ଧମାଳ ଖଜୁରିପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଲୋମଟାଙ୍କୁରା ଘଟଣା । ଦୁଇ ଯୁବକଙ୍କୁ ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ଯୁବକଙ୍କୁ ଜିଅନ୍ତା ପୋଡିବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ସୂଚନା ରହିଛି ।ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସମ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ପୋଲିସ ସୂଚନା ଅନୁସାରେ, ବୁଧବାର ରାତିରେ ଫୁଲବାଣୀରୁ ଦଶପଲ୍ଲା ଅଭିମୂଖେ ମଟରସାଇକଲ(ଓଡି 027ଏ 5124)ରେ ଯାଉଥିଲେ ବୌଦ୍ଧ ଜିଲା ପୁରଣାକଟକର ଉମାକାନ୍ତ ବିଟ ଓ କୌଣାର୍କର ରଞ୍ଜିତ କୁମାର ବେହେରା । ତେବେ କନ୍ଧମାଳ ଓ ବୌଦ୍ଧ ସୀମାନ୍ତ ଗାଡିଆପଡା ଘାଟିରେ ଦୁଇ ଜଣଙ୍କ ବାଇକକୁ ଅଟକାଇ କିଛି ଦୁର୍ବୃତ୍ତ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ରଞ୍ଜିତଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସହ ବାଇକ ମଧ୍ୟ ପୋଡି ଦେଇଥିଲେ ଦୁର୍ବୃତ୍ତ । ଏପଟେ ଉମାକାନ୍ତ ତୁରନ୍ତ ଖଜୁରିପଡା ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ । ପ୍ରଥମେ ଖଜୁରିପ଼ଡା ମେଡିକାଲ ଏବଂ ପରେ ଦୁହିଁଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ରମେଶଙ୍କ ଶରୀରର 20 ପ୍ରତିଶତରୁ ଅଧିକ ପୋଡି ଯାଇଛି । ସେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । ଅଗ୍ନୀଶମ କର୍ମଚାରୀଙ୍କ ରିପୋର୍ଟ ପରେ ଏତଲା ଦାଏର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନ ଅଧିକାରୀ ଅନୀତା କିଡ୍ଡୋ ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ