ଭବାନୀପାଟଣା: ଗର୍ଭବତୀ ହେଲେ ନାବାଳିକା । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳିକା ପାଞ୍ଚ ମାସର ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗର୍ଭବତୀ ନାବାଳିକା ନ୍ୟାୟ ପାଇଁ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୁଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପାତ୍ରବସା ଗାଁର ରିତେଶ ରାଉତ ନାମକ ଜଣେ ଯୁବକ କଲମପୁର ଥାନା ଅଞ୍ଚଲର ଜଣେ ନାବାଳିକାକ ସହ ୧ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହେବା ସହ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ ରିତେଶ । ଆଉ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ଜଣକ ।
ପରେ ନାବାଳିକା ଜଣକ ପାଞ୍ଚ ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରେମିକ ଜଣକ ବିବାହ କରିବାକୁ ସିଧାସଳଖ ମନା କରି ଦେଇଥିଲା । ଫଳରେ ନାବାଳିକାଙ୍କ ପରିବାର ଲୋକେ ଏହା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପରିବାର ଲୋକେ ଘଟଣାକୁ ନେଇ କଲମପୁର ଥାନାରେ ଲିଖିତ ଅଭଯୋଗ କରିବା ପରେ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି । ଏଥିସହ ଅଭିଯୁକ୍ତ ପ୍ରେମିକ ରିତେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାକୁ ଶିଶୁ ସୁରକ୍ଷା ଗୃହକୁ ପଠାଇ ଦେଇଛି ପୋଲିସ । ତେବେ କଲମପୁର ଅଞ୍ଚଳରେ ଏହି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି । ଏ ଦିଗରେ ସାମାଜିକ ସଚେତନତା ସହ ପ୍ରଶାସନ ବିହିତ ପଦକ୍ଷେପ ନେଲେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ରୋକ୍ ଲଗାଯାଇ ପାରିବ ।
ଏହା ମଧ୍ୟ ପଢନ୍ତୁ- ବିଲକୁ ଯାଇଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ସେହିପରି ଗତ କିଛିଦିନ ପୂର୍ବେ ଜିଲ୍ଲାର କଲମପୁର ଥାନା ଅଞ୍ଚଳରେ ୭ ବର୍ଷୀୟା ନାବାଳିକା ନିଜ ବାପାଙ୍କ ସହ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ସେ ଚାଷ ଜମି ପାଖରେ ଥିବା ନଳକୂପ ପାଖକୁ ପାଣି ପିଇବାକୁ ଏକାକି ଚାଲି ଯାଇଥିଲେ । ଏତିକି ବେଳେ ସେଠାରେ ବୁଲୁଥିବା ମତୁଆଲାଗୁଡା ଅଞ୍ଚଳର ଜଣେ ନାବାଳକର ନଜର ଝିଅଟି ଉପରେ ପଡିଥିଲା । ଅଭିଯୁକ୍ତ ନାବାଳିକାଙ୍କୁ ପାଖରେ ଥିବା ଏକ ଗଛ ମୂଳକୁ ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ସେପଟେ ଝିଅ ନ ଫେରିବାରୁ ବାପା ଏଣେତେଣେ ଖୋଜିବାକୁ ଲାଗିଥିଲେ । ଶେଷରେ ନଳକୂପ ନିକଟରେ ଥିବା ଗଛ ମୂଳରେ ଝିଅ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ ଏବଂ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି