ଭବାନୀପାଟଣା: ମାନବିକତା ଦେଖାଇଲେ ଯୁବକ । ଗରିବ ପୁଅ ହେଲେ ବି ସ୍ୱାଭିମାନୀ । ସାଧାରଣତଃ ଲୋକେ ଟଙ୍କା ପାଇଁ ଜୀବନ ନେବାକୁ ପଛାଉ ନଥିବା ବେଳେ ନିଜ ଆକଉଣ୍ଟକୁ ଭୁଲରେ ଆସିଯାଇଥିବା ଟଙ୍କା ଫେରାଇଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଧର୍ମଗଡ ଚାରିଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ କାମ କରୁଥିବା ପ୍ରଶାନ୍ତ ବାଗ ନାମକ ଏଭଳି ଏକ କାମକରି ମହାନତାୟ ପରିଚୟ ଦେଇଛନ୍ତି ।
ସୂଚନାଅନୁସାରେ, ଗୁରୁବାର ଦିନ ଧର୍ମଗଡ ଚାରିଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ କାମ କରୁଥିବା ପ୍ରଶାନ୍ତ ବାଗ ନାମକ ଯୁବକଙ୍କ ଆକାଉଣ୍ଟକୁ ଭୁଲ ବଶତଃ ୯୫ ହଜାର ଟଙ୍କା ଆସିଥିଲା l କଳମପୁର ଅଞ୍ଚଳର ବସନ୍ତ ନିଆଲ ନାମକ ଯୁବକ ନିଜ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଇବା ସମୟରେ ଅସାବଧାନତା ଯୋଗୁଁ ତାହା ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରଶାନ୍ତ ବାଗଙ୍କ ଆକାଉଣ୍ଟକୁ ଆସିଯାଇଥିଲା। ଏନେଇ ବସନ୍ତ ଧର୍ମଗଡରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ ସେମାନେ ପ୍ରଶାନ୍ତକୁ ଯୋଗାଯୋଗ କରିଥିଲେ । ପ୍ରଶାନ୍ତ କୋଣସି ଲୋଭ ନକରି ସବୁ ଟଙ୍କା ଫେରାଇ ଦେଇଥିଲେ । ତାଙ୍କର ଏହିଭଳି ସାଧୁତା ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି l
ଏନେଇ ପ୍ରଶାନ୍ତ ବାଗ କହିଛନ୍ତି ଯେ," ଗୁରୁବାର ମୋ ଆକାଉଣ୍ଟକୁ ଭୁଲ ବଶତଃ ୯୫ ହଜାର ଟଙ୍କା ଆସିଥିଲା । ମୁଁ ଜାଣିଛି ଟଙ୍କା ରୋଜଗାର ପାଇଁ କେତେ ପରିଶ୍ରମ କରିବାକୁ ପଡେ । ଟଙ୍କା ଅଭାବରୁ ମୁଁ ପାଠ ପଢିବା ପାଇଁ ଆଜି ପେଟ୍ରୋଲ ପମ୍ପରେ କାମ କରୁଛି । ସେ ଲୋକ ବି କେତେ ପରିଶ୍ରମ କରି ଟଙ୍କା ସଞ୍ଚୟ କରିଥିବ । ସେ ଟଙ୍କାକୁ ମୁଁ କେମିତି ନଫେରାଇ ଖର୍ଚ୍ଚ କରିବି । ମୁଁ ଯଦି ସେପାଇସା ଖାଇବି କେତେଦିନ ଖାଇବି ।ତେଣୁ ସେପଇସା ମୁଁ ଫେରସ୍ତ କରିଦେଲି ।"
ଇଟିଭି ଭାରତ, କଳାହାଣ୍ଡି