ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମାଁ ମାଣିଙ୍କେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ସତ୍ତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମରେ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନେକ ରାଜ୍ୟରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରାରେ କିନ୍ତୁ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳି ଦିଆଯାଇଛି । ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଂଜିତ ହୋଇଥିଲା ଭବାନୀପାଟଣାର ମୁଖ୍ୟ ରାସ୍ତା ।
କଣ ଏହି ଛତର ଯାତ୍ରା ?
ସୂଚନାଅନୁସାରେ, ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଛତରଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ୱିନମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମାଁ ମାଣିଙ୍କଶ୍ୱରୀଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଆସିଥାନ୍ତି। ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମାଁଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ଜେନାଖାଲରୁ ମନ୍ଦିର ପର୍ଯନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମାଁ ମାଣିଙ୍କେଶ୍ୱରୀଙ୍କ ଏହି ଯାତ୍ରାକୁ ହିଁ ଛତର ଯାତ୍ରା କୁହାଯାଏ ।
ଏହି ଛତର ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ଓ ଜିଲ୍ଲାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମା'ଙ୍କ ଛତରକୁ ଦର୍ଶନ କରି ଆନନ୍ଦଲାଭ କରିଥିଲେ ଭକ୍ତ। ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି, କୁକୁଡା ଆଦି ହଜାର ହଜାର ମାତ୍ରାରେ ମାଁଙ୍କ ନିକଟରେ ବଳି ଦେଇଛନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟ ରେ ଉଡାଇଥିବା ଦେଖିବାକୁ ମିଳିଥିଲା । ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠି ଥିଲା ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ମାଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇ ପାରି ନଥିଲେ ହେଲେ ଚଳିତ ବର୍ଷ କଟକଣା ମୁକ୍ତ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି