ଭବାନୀପାଟଣା: ମୌସୁମୀ ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ନିଦ ହଜାଇ ଦେଇଛି । ଗତ ମାସରେ ମୌସୁମୀ ଛୁଇଁବା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ମୈସୁମୀର ପ୍ରଥମ ବର୍ଷା ଦେଖି ଚାଷୀ ମୁହଁରେ ହସ ଫୁଟିଥିଲା । ଆଶା ରଖିଥିଲେ ଭଲରେ ବର୍ଷା ହେଲେ ଜମିରେ ତଳି ପକାଇବେ । କିନ୍ତୁ ପରବର୍ତ୍ତି ସମୟରେ ଆଉ ବର୍ଷାର ଦେଖାନାହିଁ । ଫଳରେ ଆଗେଇ ପାରୁନି ଚାଷ କାମ । ଫଳରେ ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀକୂଳ । ଯେଉଁ ଜମି ବର୍ତ୍ତମାନ ସବୁଜ ସୁନ୍ଦର ଦେଖାଯିବା କଥା ତାହା ଏବେ ସୁଖିଲା ପଡିଛି ।
ଜିଲ୍ଲାକୁ ମୌସୁମୀ ଛୁଇଁବା ପରେ ବର୍ଷା ହୋଇଥିଲା । ଏହି ସମୟରେ କିଛି ଅଞ୍ଚଳର ଚାଷୀ ହଳ ନଙ୍ଗଳ କରି ତଳି ପକାଇବାକୁ ସଜବାଜ ହୋଇଥିଲେ । ହେଲେ ତା ପରଠାରୁ ଜିଲ୍ଲାରେ ବର୍ଷାର ଆଉ ଦେଖା ନାହିଁ । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୨୬ ପ୍ରତିଶତ କମ ବର୍ଷା ହୋଇଥିବା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଜଣା ଯାଇଛି । ଜିଲ୍ଲାରେ ଜୁନ୍ ମାସରେ ଗତ ୨୦୨୧ ମସିହାରେ ୧୫୮ ମିମି, ୨୦୨୨ ମସିହାରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଥିଲା । ଚଳିତ ବର୍ଷ କିନ୍ତୁ ଜୁନ୍ ମାସରେ ହୋଇଛି ମାତ୍ର ୮୦.୪୩ ମିମି ବର୍ଷା । ଯାହାକି ଚାଷୀଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇଛି ।
ଜିଲ୍ଲାର ୮୦ ପ୍ରତିଶତରୁ ଅଧିକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଓଡ଼ିଶାରେ ବରଗଡ଼ ପରେ କଳାହାଣ୍ଡି ଧାନ ଉତ୍ପାଦନ ପାଇଁ ସମଗ୍ର ରାଜ୍ୟରେ ପରିଚିତ ହୋଇଛି । ଜିଲ୍ଲାରେ ଉନ୍ନତମାନର ଧାନ ଚାଷ ଉତ୍ପାଦନ ହେଉଥିବା ବେଳେ ଚାଉଳ ଆଜି ବିଦେଶକୁ ରପ୍ତାନି ହେଉଛି । ଯାହାଦ୍ୱାରା ଚାଷୀ ମାନଙ୍କ ଆର୍ଥୀକ ମାନଦଣ୍ଡ ବେଶ ସୃଦୃଢ ହୋଇ ପାରିଛି । ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା କେନାଲ ମାଧ୍ୟମରେ ଇନ୍ଦ୍ରାବତୀ ପାଣି ପାଇ ଏଠାକାର ଚାଷୀମାନେ ଉଭୟ ଖରିଫ ଏବଂ ରବି ଚାଷ ଭଳି ଦୁଇ କିସମର ଫସଲ ଚାଷ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା, ଗଜା ମରୁଡି ଆଶଙ୍କା
ବର୍ତ୍ତମାନ ସୁଦ୍ଧା କେନାଲ ପାଣି ଚାଷୀମାନେ ପାଇ ପାରି ନଥିବା ବେଳେ ଆସନ୍ତା ୭ ତାରିଖରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡ଼ା ଯିବା ନେଇ ଘୋଷଣା ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳର ଚାଷୀମାନଙ୍କୁ କିଛିଟା ଆସ୍ୱସ୍ଥି ଆଣି ଦେଇଛି । ହେଲେ ଯେଉଁ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ନାହିଁ ବିଶେଷ କରି ଜିଲ୍ଲାର ଭବାନୀପାଟଣା, ନର୍ଲା, ମଦନପୁର ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଗୋଲାମୁଣ୍ଡା ଆଦି ବ୍ଲକ ଅଞ୍ଚଳରେ କୌଣସି ଜଳସେଚନର ବ୍ୟବସ୍ଥା ନଥିବା ବେଳେ ମରୁଡ଼ି ଆଶଙ୍କାରେ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି ।
ବ୍ଲକର କାଭାଁ ଅଞ୍ଚଳରେ ଚାଷୀମାନେ ଧାନ ବୁଣି ସାରିଥିବା ବେଳେ ସେମାନଙ୍କ ପାଇଁ ବର୍ଷା ସମସ୍ୟା ଚିନ୍ତା ବଢାଇ ଦେଇଛି । ଆଗକୁ ଯଦି ଏହିପରି ସମସ୍ୟା ଲାଗି ରହେ ତାହେଲେ ମରୁଡ଼ି ପରିସ୍ଥିତି ନିଶ୍ଚିତ ଭାବରେ ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି । ବର୍ତ୍ତମାନ ଜୁଲାଇ ମାସ ପ୍ରଥମ ସପ୍ତାହ ଶେଷ ହେବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ ଏବଂ ଆଗକୁ ଯଦି ଭଲ ବର୍ଷା ନହୁଏ ତାହେଲେ ଜିଲ୍ଲାରେ ମରୁଡି ପରିସ୍ଥିତିକୁ ସାମ୍ନା କରିବେ ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ବର୍ତ୍ତମାନଠାରୁ ଭାଲେଣି ପଡ଼ିଲାଣି ।
ଇଟିଭି ଭାରତ,କଳାହାଣ୍ଡି