ଭବାନୀପାଟଣା: ରାଜ୍ୟରେ ପୁଣି ଦାଦନ ଦୁଃଖ । ପରିବାର ଚଳାଇବା ପାଇଁ ଟଙ୍କା ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ଘରକୁ ଫେରିଛି ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ କାଶିବାହାଲ ଗ୍ରାମରେ । କାମ କରୁଥିବା ବେଳେ ଛାତରୁ ପଡି ମାନସିଂ ପୋଢଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଏହାମଧ୍ୟ ପଢନ୍ତୁ..ଦାଦନ ଖଟିବାକୁ ଯାଇ ଭାଇ ମୃତ, ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ
ସୂଚନା ଅନୁଯାୟୀ, କାଶିବାହାଲର ଗାଁର ମାନସିଂ ପୋଢ ପରିବାର ପ୍ରତିପୋଷଣ କରିବା ପାଇଁ ଏକ ବର୍ଷ ତଳେ ଗାଁର ଆଉ କିଛି ଯୁବକଙ୍କ ସହ ମିଶି ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ କରିବା ସହ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବା ପାଇଁ ଟଙ୍କା ମଧ୍ୟ ପଠାଇ ଆସୁଥିଲେ । ହେଲେ ହଠାତ୍ ଗତକାଲି କାମ କରୁଥିବା ବେଳେ ଛାତରୁ ଖସି ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସାଥୀ ଶ୍ରମିକ ଏନେଇ ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଖବର ଦେବା ସହ ଠିକା ସଂସ୍ଥା ମାଲିକଙ୍କୁ ମଧ୍ୟ ସୂଚନା ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ..ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ବଲାଙ୍ଗୀରରୁ ୮୬ ଦାଦନ ଶ୍ରମିକ ଉଦ୍ଧାର, ୮ ଗିରଫ
ପରେ ଠିକା ସଂସ୍ଥା ପକ୍ଷରୁ ଶ୍ରମିକଙ୍କ ମୃତଦେହ ଗାଁକୁ ପଠାଇ ଦିଆଯାଇଛି । ଆଉ ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ହୋଇଥିବା ବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି । ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ଭାଙ୍ଗି ପଡ଼ିଛି ପୁରା ପରିବାର ।
ତେବେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍ ମାରିଛି । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିନି । ଦାଦନ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ଆନେକ ଯୋଜନା କରୁଛନ୍ତି । ହେଲେ କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁ ନାହିଁ । ଫଳରେ ରାଜ୍ୟ ଛାଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି ।
ଇଟିଭି ଭାରତ, କଳାହାଣ୍ଡି