ଭବାନୀପାଟଣା: ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ କି ଗରିବ ପାଇଁ ନିଜ ପାଠ ପଢା ଛାଡି ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ସଂଘର୍ଷମୟ ଜୀଵନରେ ହାର ନ ମାନି ନିଜର କର୍ମମୟ ଜୀବନରେ ଆଜି ସଫଳ ମଧ୍ୟ ହୋଇଛନ୍ତି । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିରେ । ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବା ଦେଖି ପାଠ ପଢା ଛାଡି ପର ଘରେ ମୂଳ ଲାଗୁଥିଲେ । ହେଲେ ଇଚ୍ଛା ଥିଲା କିଛି ଅଲଗା କରିବା । ଆଉ ୫୦ ଟଙ୍କାର ବାଇଗଣ ଚାରା ବଦଲାଇ ଦେଲା ଚାଷୀଙ୍କ ଭାଗ୍ୟ ।
ବର୍ତ୍ତମାନ ପନିପରିବା ଚାଷ କରି ବର୍ଷକୁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆୟ କରି ଚର୍ଚ୍ଚାରେ ରେଙ୍ଗସାପାଲି ଗାଁର ଯୁବ ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗାଁର ଚୁଡାମଣି ବେହେରା । ଯାହାଙ୍କର ବୟସ ମାତ୍ର ୩୮ ବର୍ଷ । ବାପା, ମାଆ ଆଉ ତିନି ଭାଇଙ୍କୁ ନେଇ ଏକ ସୁନ୍ଦର ପରିବାର ଥିଲା । ଗରିବ ପରିବାର ହେତୁ ଆର୍ଥିକ ସ୍ଥିତି ଠିକ ନ ଥିବା ଯୋଗୁଁ ଚୁଡାମଣି ସପ୍ତମ ଶ୍ରେଣୀରେ ପାଠପଢ଼ାରେ ଡୋରି ବାନ୍ଧି ପରିବାର ପ୍ରତିପୋଷଣ ପାଇଁ ଗାଁରେ ପର ଘରେ ମୂଳଲାଗି ଥିଲେ ।
ଚୁଡାମଣି ଯେଉଁ ମାଲିକଙ୍କ ପାଖରେ ମୂଲ ଲାଗୁଥିଲେ ସେ ମାଲିକ ମଧ୍ୟ ଚୁଡାମଣିଙ୍କୁ ଏହି ପନିପରିବା ଚାଷ କାମରେ ନିୟୋଜିତ କରୁଥିଲେ । ୩ ବର୍ଷ କାଳ ମାଲିକ ପାଖରେ ମୂଲ ଲାଗିବା ପରେ ଚୁଡାମଣି ନିଜେ ଚାଷ କରିବା ପାଇଁ ମନ ବଳାଇଥିଲେ । ନିଜ ଅଭିଜ୍ଞତାକୁ ଧରି ପୈତୃକ ଜମି ଥିବା ୧୦ ଡ଼ିସିମିଲ ଜାଗାରେ ପ୍ରଥମେ ୫୦ ଟଙ୍କାର ବାଇଗଣ ଚାରା ଆଣି ଲଗାଇଥିଲେ । ଆଉ ସେହି ଦିନ ଠାରୁ ଚାଷ କାର୍ଯ୍ୟରେ ଆରମ୍ଭ ହୋଇଥିଲା ଚୁଡାମଣିଙ୍କ ସଫଳଚାଷୀର ଯାତ୍ରା । ୫୦ ଟଙ୍କାର ବାଇଗଣ ଚାରା ଆଣି ଚାଷ କରିବା ପରେ ପ୍ରଥମଥର ୧୦ ହଜାର ଟଙ୍କା ଲାଭ ହୋଇଥିଲା । ସେଥିରେ ସେ ଏକ କିରୋସିନ ପମ୍ପ ଆଣି ପୁଣି ଚାଷ ଆରମ୍ଭ କରିଥିଲେ । ଦିନ ବଢିବା ସହିତ ଚାଷ କାମରେ ନିଜକୁ ସମର୍ପିତ କରି ଦେଲେ ଯାହା ଫଳରେ ତାଙ୍କର ଆର୍ଥିକ ସ୍ଥିତିରେ ସୁଦ୍ଧାର ଆସିବା ସହ ଚାଷ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ୨ ଏକର ଜମି ମଧ୍ୟ କିଣିଛନ୍ତି।
ତେବେ ବର୍ତ୍ତମାନ ଚୁଡାମଣି ୧୪ ଏକର ଜମିରେ କଦଳୀ, ଫୁଲକୋବି, ବନ୍ଧାକୋବି, ଗଣ୍ଠିକୋବି, କଲରା, ଝୁଡୁଙ୍ଗ, ଜହ୍ନି, କାକୁଡି, ଲଙ୍କା, କାପ୍ସିକମ, ଟମାଟୋ, ରସୁଣ, ଛତୁ ଚାଷ କରୁଛନ୍ତି । ବର୍ଷକୁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆୟ କରୁଛନ୍ତି ଚୁଡାମଣି । ଯାହା ତାଙ୍କୁ ଏକ ସଫଳ ଚାଷୀର ପରିଚୟ ଦେଇଛି । ଏଭଳି ଚାଷ ପାଇଁ ସରକାରୀ ସ୍ତରରେ ଉଦ୍ୟାନ ବିଭାଗ ପକ୍ଷରୁ ୩ ଥର ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ କର୍ମ ନିଯୁକ୍ତି ଦେଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି ଚୁଡାମଣି ।
ଇଟିଭି ଭାରତ, କଳାହାଣ୍ଡି