ଭବାନୀପାଟଣା: ସମାଜରେ ଅବହେଳିତ ଅସହାୟ ଗରିବ ଲୋକଙ୍କ ସହାୟତା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ସରକାର । ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି । ହେଲେ ଏବେମଧ୍ୟ ଅନେକ ଲୋକେ ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି । ବାର୍ଦ୍ଧକ୍ୟ ସମୟରେ ଲୋକଙ୍କୁ ଦିଓଳି ଦିମୁଠା ଖାଇବା ସହ ସେମାନଙ୍କ ଖର୍ଚ୍ଚ ନିମନ୍ତେ ସରକାର ଭତ୍ତା ଯୋଜନା କରିଥିବା ବେଳେ ଆଜିବି ଅଧିକାଂଶ ଅଞ୍ଚଳରେ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଥୁଆମୂଲ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାନଭଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଏହି ଗାଁରେ ଅନେକ ବିଧବା, ବୃଦ୍ଧ ଓ ବୃଦ୍ଧା ବସବାସ କରୁଥିବାବେଳେ ସରକାରଙ୍କ ଯୋଜନାରୁ ବଞ୍ଚିତ ରହିଛନ୍ତି । ଗ୍ରାମର ସତ୍ୟଭାମା ମହାଳିକ ନିଜ ସ୍ଵାମୀର ମୃତ୍ୟୁ ପରେ ଏବେ ଅସହାୟ ହୋଇ ପଡିଥିବାବେଳେ ନିଜ ପରିବାର ପ୍ରତିପୋଷଣ କିପରି କରିବେ ସେନେଇ ଚିନ୍ତାରେ ରହିଛନ୍ତି । ସରକାରଙ୍କୁ ଯୋଜନାରୁ କାଣିଚିଏ ସାହାଯ୍ୟ ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଥିଲେ ବି କୌଣସି ସୁଫଳ ମିଳୁନି ।
ଏହା ମଧ୍ୟ ପଢନ୍ତୁ: ନୂଆପଡାରେ କଲରାପତରିଆ ବାଘ ଆତଙ୍କ, ଭୟଭୀତ ୫୩ ଖଣ୍ଡ ଗାଁ
ଠିକ୍ ସେହିଭଳି ପାନଭଟା ଗ୍ରାମର କିଛି ଲୋକ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରୁ ଉପକୃତ ହେବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ଵାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ସହିତ ଆବଶ୍ୟକୀୟ କାଗଜପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ହରିଶ୍ଚନ୍ଦ୍ର ଯୋଜନାରୁ ମଧ୍ୟ କୌଣସି ସହାୟତା ମିଳିନଥିବା ଏମାନଙ୍କ ଠାରୁ ଅଭିଯୋଗ ଆସିଛି । ତତ୍ ସହିତ ଜାତୀୟ ପରିବାର କଲ୍ୟାଣରୁ ମଧ୍ୟ ସହାୟତା ମିଳି ନଥିବା ଅଭିଯୋଗ ହୋଇଛି । ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ କେବେ ସହାୟତା ମିଳୁଛି ତାକୁ ହିଁ ଅପେକ୍ଷା ।
ଏହା ମଧ୍ୟ ପଢନ୍ତୁ: ଗିଳିଦେଲେ ଭତ୍ତା ଟଙ୍କା ! ମାସ ମାସ ଧରି ଅପେକ୍ଷାରେ ହିତାଧିକାରୀ
ଇଟିଭି ଭାରତ, କଳାହାଣ୍ଡି