କଳାହାଣ୍ଡି: ବହି ସଂଗ୍ରହର ନିଶାରେ ନିଜ ଘରକୁ ପାଠାଗାରରେ ପରିଣତ କରିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭିର୍କାପଡା ଗାଁର ଗଣପତି ନାୟକ । ୨୫ ବର୍ଷରୁ ଅଧିକ ସମୟ ଧରି ସେ ବିଭିନ୍ନ ପୁସ୍ତକ ସଂଗ୍ରହ କରିବା ସହ ଏହାକୁ ସଜାଇ ରଖିଛନ୍ତି । ପ୍ରାୟ ୫ ହଜାରୁ ଅଧିକ ବହି ସଂଗ୍ରହ କରି ରଖିଥିବା ବେଳେ ଏଠାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ମଧ୍ୟ ପଢାଉଛନ୍ତି । ଏହା ସହିତ ନିଜ ଗ୍ରାମରେ ଏକ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି ଗଣପତି ।
ଏମିତି ଆରମ୍ଭ ହୋଇଥିଲା ପାଠାଗାର
ଗଣପତି ନାୟକ ପେସାରେ ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ସେ ନିଜ ଜୀବନକୁ ଶିକ୍ଷା ପାଇଁ ସମର୍ପି ଦେଇଛନ୍ତି । ନବମ ଶ୍ରେଣୀରେ ପାଠପଢୁ ଥିବା ସମୟରୁ ଏଭଳି ବହି ସଂଗ୍ରହ କରି ସେ ନିଜର ଏକ ପାଠାଗାର ନିର୍ମାଣ କରିଥିଲେ । ସେ ବିଗତ ୨୫ ବର୍ଷରୁ ଅଧିକ ସମୟ ଧରି ପୁସ୍ତକ ସଂଗ୍ରହ କରିବା ସହ ଏଗୁଡ଼ିକୁ ସଜାଇ ରଖିଛନ୍ତି । ତେବେ ୨୦୦୭ ମସିହାରେ ଗଣପତି ନାୟକଙ୍କ ଭାଇ ଗିରିଶ ଚନ୍ଦ୍ର ନାୟକଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ନିଜ ଭାଇଙ୍କର ସ୍ମୃତିରେ ନିଜର ଏହି ପାଠାଗାରକୁ ଗିରିଶ ଚନ୍ଦ୍ର ସ୍ମାରକୀ ପାଠାଗାର ଭାବରେ ନାମିତ କରି ନିଜ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ସମର୍ପି ଦେଇଛନ୍ତି ।
ପାଠାଗାରରେ ରହିଛି ଅନେକ ବିରଳ ଓ ମୂଲ୍ୟବାନ ବହି
ଗଣପତିଙ୍କ ପାଠାଗାରରେ ହିନ୍ଦୀ ,ଇଂରାଜୀ, ସଂସ୍କୃତ ଏବଂ ଓଡ଼ିଆ ଭାଷାର ବହୁ ବିରଳ ତଥା ମୂଲ୍ୟବାନ ପୁସ୍ତକ ସ୍ଥାନ ପାଇଛି । ଅଦ୍ୟାବଧି ବିଭିନ୍ନ ବିଷୟର ପ୍ରାୟ ୫ ହଜାର ପୁସ୍ତକକୁ ନିଜ ପାଠାଗାରରେ ସେ ସ୍ଥାନ ଦେଇଛନ୍ତି । ଏହି ପାଠାଗାରରେ ଏବେ ୩ ଟି ଆଲମାରୀରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ସାଧାରଣ ଜ୍ଞାନ, ଗ୍ରାମପଞ୍ଚାୟତ ନିୟମ, ରାମାୟଣର ସାତଖଣ୍ଡ ସଂସ୍କୃତ ଓ ଓଡ଼ିଆ ଅନୁବାଦ, ମହାଭାରତର ଅଷ୍ଟାଦଶ ପୁରାଣର ଓଡ଼ିଆ ଓ ସଂସ୍କୃତ ପୁସ୍ତକ, ଜଗନ୍ନାଥ ସଂସ୍କୃତି, ଭବିଷ୍ୟତ ମାଳିକା, ମହାପୁରୁଷଙ୍କ ଜୀବନୀ, ଚତୁର୍ବେଦ, ୧୦୮ ଉପନିଷଦ, ଉପନ୍ୟାସ ଭଳି ଅନେକ ପୁସ୍ତକ ରହିଛି ।
ନିଜ ଗାଁରେ ଭାଗବତ ଟୁଙ୍ଗୀ କରିଛନ୍ତି ଗଣପତି
ସେପଟେ ଗଣପତି ନିଜ ଗାଁ ଭିର୍କାପଡାରେ ୨୦୦୪ ମସିହାରେ ଏକ ଭାଗବତ ଟୁଙ୍ଗୀର ନିର୍ମାଣ କରିଛନ୍ତି । ଅନେକ ଆଧ୍ୟାତ୍ମିକ ବିରଳ ପୁସ୍ତକ ପାଠାଗାରରୁ ଆଣି ଏଠାରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଯାଏ । ପ୍ରତ୍ୟେକ ଦିନ ସନ୍ଧ୍ୟରେ ଗାଁ ଭାଗବତ ଟୁଙ୍ଗୀରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥାଏ । ଏହାସହ ପ୍ରତ୍ୟେକ ଗୁରୁବାର ଦିନ ଭାଗବତ ଓ ରାମାୟଣ ପାଠ କରିଥାନ୍ତି ଗାଁ ଲୋକେ । ଏହା ଦ୍ବାରା ଗଣପତି ନିଜ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଇ ପାରିଛନ୍ତି ବୋଲି ଗ୍ରାମବାସୀ କୁହନ୍ତି ।
ଇଟିଭି ଭାରତ, କଳାହାଣ୍ଡି