ଭବାନୀପାଟଣା: ନିୟମିତ ଭାବରେ ରାଜ୍ୟ ତଥା ଦେଶରେ ବିଭିନ୍ନ ସମୟରେ ସାମ୍ବାଦିକ ମାନେ ଆକ୍ରମଣର ଶିକାର ହେଉଛନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର ସହ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ରେ ବେଡି ପକେଇ ରଖିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ଏଭଳି ଅତ୍ୟାଚାରକୁ ନେଇ ଚାରିଆଡେ ପ୍ରତିବାଦ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସମୂହ ପକ୍ଷରୁ ଭବାନୀପାଟଣା ଅମଲା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୀଳଗିରି ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବୈଠକରେ ଦାବି କରାଯାଇଛି ।
ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ସାମ୍ବାଦିକମାନେ ସାମିଲ ହୋଇ ନୀଳଗିରି ଘଟଣାକୁ ନିନ୍ଦା କରିଛନ୍ତି । ଦୋଷୀ ବିରୁଦ୍ଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଉପସ୍ଥିତ ସମସ୍ତ ସାମ୍ବାଦିକ ମତ ପ୍ରକାଶ କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ