ଭବାନୀପାଟଣା: ପ୍ରଶାସନନିକ ଦୃଷ୍ଟି ଆଢୁଆଳରେ ଜାକମ ଗାଁ । ସ୍ବାଧୀନତାର 73 ବର୍ଷ ପରେ ମଧ୍ୟ ଏପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ଜାକମ ଗ୍ରାମବାସୀ ।
ଏ ହେଉଛି ଜାକମ ଗାଁ । ଆଉ ଏହେଉଛି ଗାଁ କୁ ଯିବା ପାଇଁ ଥିବା ଜାକମ ନଦୀ ଦେଇ ଯାଇଥିବା ରାସ୍ତା। ଜିଲ୍ଲାର ସଦର ବ୍ଲକ ଅଧୀନରେ ଥିବା ଏହି ଗାଁ ସବୁବେଳେ ନିର୍ଭରଶୀଳ ଭବାନୀପାଟଣା ସହର ଉପରେ । ସେ ସ୍ୱାସ୍ଥ୍ୟ, ଶିକ୍ଷା ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ । ସବୁଠୁ ଏବେ ଏହି ଗାଁ ପାଇଁ ରହିଛି ପୋଲ ଚିନ୍ତା ।
ଜାକମ ନଦୀରେ ପୋଲଟିଏ ନଥିବାରୁ ଅନେକ ହଇରାଣ ହୁଅନ୍ତି ଅଞ୍ଚଳବାସୀ । ଗାଁ ଠାରୁ ଭବାନୀପାଟଣା ବ୍ଲକ ପ୍ରାୟ ୨୦ କିମିର ଦୂରରେ ଥିବାବେଳେ ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଗାଁର ଦୂରତା ପ୍ରାୟ ୧ କିଲୋମିଟର। ହେଲେ ରାସ୍ତା ନିର୍ମାଣ ନେଇ ଅନେକ ଥର ପ୍ରଶାସନକୁ ଗୁହାରୀ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏବେ ନିଜସ୍ୱ ଉଦ୍ୟମରେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ।
ଆରମ୍ଭ କରିଛନ୍ତି ବାଲିବସ୍ତା ଦେଇ ପୋଲ ନିର୍ମାଣ କାମ । ଯାହାର ନାମ ରଖାଯାଇଛି ଅଭିଯାନ "ମାଁ ପାଇଁ ରାସ୍ତା ଟିଏ "। କାରଣ ଅନେକ ସମୟରେ ଏଭଳି ଗାଁର ଜନନୀ ଯନ୍ତ୍ରଣାର ଚିତ୍ର କେବଳ ଗଣ ମାଧ୍ୟମରେ ପ୍ରସାରିତ ହୋଇ ରହିଯାଏ। ହେଲେ ଜନନୀର ଦୁଃଖ଼ ଦୂର ହୁଏ ନାହିଁ ।
ଗାଁ ଲୋକେ ପିଡ଼ିଏସ ସାମଗ୍ରୀ ପାଇଁ ନିଜ ପଞ୍ଚାୟତ ଶଗଡା ଉପରେ ନିର୍ଭର କରନ୍ତି। ଏମାନେ ସମସ୍ତେ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ସତ ହେଲେ କାର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଏ ଗାଁର ବିକାଶର କଥା ଚିନ୍ତା କଲାବେଳେ ସରକାର ହୁଅନ୍ତୁ କିମ୍ଭା ସରକାରୀ ବାବୁ ସତେଯେମିତି ଶୋଇଛନ୍ତି କୁମ୍ଭକର୍ଣ ନିଦ୍ରାରେ । କେବଳ ଭୋଟ ବେଳେ ହିଁ ନେତାଏଙ୍କୁ ମନେପଡେ ଏହି ଅନୁନ୍ନତ ଗାଁ ।
ଏନେଇ ଆମ ପ୍ରତିନିଧି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ଏହି ଗାଁ ପାଇଁ ଏକ ଲୁହା ପୋଲ ନିର୍ମାଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ