ଭୁବନେଶ୍ବର: ବିଜେଡିକୁ ଲାଗିଲା ଝଟକା । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଓ ତାଙ୍କ ସମର୍ଥକ । କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜ ପରିବାରର ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ ସ୍ୱତ ପ୍ରବୃତ୍ତ ଭାବରେ ରାଜଧାନୀରେ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ମଦନପୁର, ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥିବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ । ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ଶତାଧିକ ସମର୍ଥକ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଅର୍କ କେଶରୀ ବିଜେଡିରୁ ଲଢି କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱରରେ ଆୟୋଜିତ ଏକ ମେଗା ମିଶ୍ରଣ ପର୍ବରେ ଏମାନଙ୍କୁ ବିଜେପିକୁ ସ୍ୱାଗତ କରାଯାଇଛି ।
ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି ବୋଲି କହିଥିଲେ ସଭାପତି ମନମୋହନ ସାମଲ ।
ଅର୍କ କେଶରୀ ଦେଓ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ ହୋଇଛି । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ପାର୍ଟିର ସଂଗଠନକୁ ସୁଦୃଢ କରିବା ଏବଂ ବିଜେପିର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋ ବାପା ସ୍ୱର୍ଗତଃ ବିକ୍ରମ କେଶରୀ ଦେଓଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ମୋର ପ୍ରାଥମିକତା । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ । ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ଼ ବାଧକ ସାଜିଛି । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଡବଲ୍ ଇଞ୍ଜିନ ସରକାର ଗଠନ କରିବ ।"
ଇଟିଭି ଭାରତ, ଭୁବନେଶ୍ବର