ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର (Mamita meher murder case) ତାତି କମିବାର ନାଁ ନେଉନାହିଁ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର(Divyashankar Mishra)ଙ୍କ ଲିଙ୍କ ରହିଥିବା ଅଭିଯୋଗ ହୋଇ ଆସୁଛି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି ।
ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଛି । ବିରୋଧୀଙ୍କ ଆନ୍ଦୋଳନ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି। ଏହି କ୍ରମରେ ଆଜି(ମଙ୍ଗଳବାର) କଳାହାଣ୍ଡି ଜିଲ୍ଲା ବିଜେପି କର୍ମୀମାନେ କଲମପୁରରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମମିତାଙ୍କ ପାଇଁ ନ୍ୟାୟ ଭିକ୍ଷା କରିଥିଲେ ।
ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମୀ । ଏହାସହ ରାଜ୍ୟ ସରକାର ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି କର୍ମୀ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ