କଳାହାଣ୍ଡି: ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ଶିଶୁର ସ୍ବାସ୍ଥ୍ୟ ଏବଂ ଶିଶୁଙ୍କୁ ପୁଷ୍ଟି ଖାଦ୍ୟ, ଶିଶୁ ଶିକ୍ଷା ତଥା ଶିଶୁଙ୍କୁ ଅଧିକାର ଦେବା ପାଇଁ କାର୍ଯକାରୀ ହେଉଛି ସମନ୍ବିତ ଶିଶୁ ବିକାଶ ଯୋଜନା । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲା ଯାଇଥିବା ବେଳେ ଜଣେ ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହିତ ବ୍ଲକସ୍ତରରେ ଜଣେ ଲେଖାଏଁ ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି । ଯୋଜନା ପାଇଁ ଅର୍ଥ ବି ବ୍ୟୟବରାଦ ହେଉଛି । ମାତ୍ର ଯୋଜନାକୁ କାର୍ଯକାରୀ କରୁଥିବା ସରକାରୀ କଳର ଦୂରଦୃଷ୍ଟି ଅଭାବରୁ ବାଟବଣା ହେଉଛି ଯୋଜନା ।
ତେବେ ଏ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ପ୍ରଧାନୀପଡା ଅଙ୍ଗନୱାଡି କେନ୍ଦ୍ର । ଏହି କେନ୍ଦ୍ରରେ ବର୍ତ୍ତମାନ ୩୦ ଶିଶୁ ଯୋଜନାରେ ସାମିଲ ଅଛନ୍ତି । ମାତ୍ର ଏଠି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । ଏକ ସୁସ୍ଥ ପରିବେଶରେ ୬ ବର୍ଷରୁ କମ ଶିଶୁଙ୍କୁ ଶିକ୍ଷା ଓ ଅଧିକାରର ବାଟ ଦେଖାଇବା ପାଇଁ ଉଧିଷ୍ଟ ଏହି ଅଙ୍ଗନବାଡି କେନ୍ଦ୍ରଟି ଆଜିକୁ ପ୍ରାୟ ୪ ବର୍ଷ ହେବ ଅର୍ଧ ନିର୍ମିତ ଅବସ୍ଥାରେ ପଡିରହିଛି । ଆଉ ଏଥିପାଇଁ ଏହି ନୂଆଁଣିଆ ଚାଳ ଘର ସାଜିଛି ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର । ବୈଶାଖର ପ୍ରଚଣ୍ଡ ରୌଦ୍ରତାପ, ଶ୍ରାବଣର ମୁଷଳଧାରାର ବର୍ଷା ଓ ମାଘର ହାଡଭଙ୍ଗା ଶୀତରେ ଏଠି କୋମଳମତି ଶିଶୁ ଦୁଇ ଅକ୍ଷର ଶିଖିବା ପାଇଁ ଦେଉଛନ୍ତି କଷ୍ଟ ସହିଷ୍ଣୁତାର ପରୀକ୍ଷା । ନୂତନ କୋଠା ଭିତରେ ଏବେ ଅନାବନା ବୁଦା ମାଡିଗଲାଣି । ଫଳରେ ପାଚିକା ଜଣଙ୍କ ନିଜ ଘରେ ରୋଷେଇ କରି ପିଲାଙ୍କୁ ଖାଦ୍ୟ ଯୋଗାଇବା ସହ ଶିକ୍ଷା ପ୍ରଦାନ କରୁଛନ୍ତି । ଦିନେ ଦିନେ ଅଙ୍ଗନୱାଡି କର୍ମି ବୈଠକକୁ ଗଲେ ଯୋଜନା ବନ୍ଦ ହୋଇ ପଡୁଛି । ଏନେଇ ଗ୍ରାମବାସୀ ନୂତନ ଗୃହ ସମ୍ପୂର୍ଣ୍ଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ତେବେ ଏହା କେବଳ ଯେ ପ୍ରଧାନୀପଡା ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ନୁହେଁ ଜିଲ୍ଲାରେ ଏଭଳି ଅନେକ କେନ୍ଦ୍ରର ଅବସ୍ଥା ସମାନ । ଆଉ ଏପଟେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହୁଛନ୍ତି ମୁଁ ଘଟଣାସ୍ଥଳକୁ ଏଯାଏଁ ଗସ୍ତ କରିନାହିଁ । ସ୍ଥିତି ପରଖିବା ପରେ ଯଥାଶିଘ୍ର ସମାଧାନ କରାଯିବା ।
ସେପଟେ ସମସ୍ୟା ନେଇ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଘନ ଘନ ବୈଠକ ଚାଳାଇଛନ୍ତି। ହେଲେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଜଳଜଳ । ଜୀବନ ବଞ୍ଚିବାର ଦକ୍ଷତା, ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ସେବା ଭଳି ସମ୍ବେଦନଶୀଳ ପ୍ରାଥମିକ ଦାୟିତ୍ବ ବହନ କରୁଥିବା ଅଙ୍ଗନୱାଡି କେନ୍ଦ୍ର ପ୍ରତି ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ସତେ ଯେମିତି ଲକ୍ଷ୍ୟଠାରୁ ଦୂରେଇ ଯାଉଛି ସରକାରଙ୍କ ଏହି ଜନହିତକର ଯୋଜନା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ