ଭବାନୀପାଟଣା: ଶୁଣିଲାନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଞ୍ଚଳରେ।
କାଦୁଅ ରାସ୍ତା ଉପରେ ଧାନ ତଳି ରୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଛନ୍ତି ଅଞ୍ଚଳବାସୀ । ଛୋରିଆଗଡ଼ ଠାରୁ ସାନଫୁର୍ଲା ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରୁଥିବାବେଳେ ବର୍ଷାଦିନେ ଆଣ୍ଠୁଏ କାଦୁଅ ଜମୁଛି ।
ରାସ୍ତାର ମରାମତି ପାଇଁ ଗୁହାରି କଲେ ବି ଶାସନ ପ୍ରଶାସନ କି ନେତା କେହି ଶୁଣିବାକୁ ନାରାଜ । ଅଳ୍ପ ବର୍ଷାରେ ବେହାଲ ହୋଇପଡୁଥିବା ଏହି ରାସ୍ତା ଉପରେ ଅଞ୍ଚଳବାସୀ ନିଜର ନିତିଦିନିଆ ଜୀବନ ଜୀବିକା ପାଇଁ ନିର୍ଭର କରୁଥିବା ବେଳେ ଏଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ