ଭବାନୀପାଟଣା: କଳାହାଣ୍ଡିରେ ତିଆରି ହୋଇ ଛତିଶଗଡକୁ ହେଉଥିଲା ବନ୍ଧୁକ ଚାଲାଣ । ଜିଲ୍ଲାର ମଙ୍ଗଳପୁର ଗାଁରେ ଚଢାଉ କଲା ଛତିଶଗଡ ଏସଟିଏଫ । ୨୫ ଜଣଙ୍କ ଘରେ ଚଢାଉ ହୋଇଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚାରା ଉଚୁରା ପରେ ଛତିଶଗଡ ନେଇଛି STF ଟିମ୍ ।
ଚଢାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ, ବେଆଇନ ବନ୍ଧୁକ ଜବତ ହୋଇଛି । ତେବେ କେଉଁ କେଉଁ ସ୍ଥାନକୁ ଏହିଠାରୁ ବନ୍ଧୁକ ଚାଲାଣ ହେଉଥିଲା ତାହାର ଟିକିନିଖି ତଦନ୍ତ କରୁଛି ଛତିଶଗଡ଼ STF । ଏହାସହ ଏହି ବେଆଇନ ବନ୍ଧୁକ ତିଆରି କାରବାରରେ କେଉଁ କେଉଁ ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ କରୁଛି ବନ ବିଭାଗ ।
ସୂଚନା ଅନୁଯାୟୀ, ଜୟପାଟଣା ରେଞ୍ଜ ଅନ୍ତର୍ଗତ ମଙ୍ଗଳପୁର ଗାଁର ବିଭିନ୍ନ ସ୍ଥାନରେ ବେଆଇନ ବନ୍ଧୁକ ତିଆରି କରାଯାଇ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା । ଏନେଇ ଛତିଶଗଡ଼ STF ବିଶେଷ ସୂତ୍ରରୁ ଖବର ପାଇ କଳାହାଣ୍ଡି ବନ ବିଭାଗ ଅଧିକାରୀଙ୍କ ସହ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗ୍ରାହକ ଭାବରେ ମଙ୍ଗଳପୁର ଗାଁକୁ ଯାଇଥିଲେ । ସେଠାରେ ୨୫ ଲୋକଙ୍କ ଘରେ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଓ ବେଆଇନ ବନ୍ଧୁକ ଜବତ କରିଥିବା ବେଳେ ଏଥିରେ ସାମିଲ ଥିବା ୫ ଜଣ ବ୍ୟକ୍ତିକୁ ଜୟପାଟଣା ରେଞ୍ଜ ଅଫିସକୁ ଆଣାଯାଇଥିଲା । ଏଠାରେ ପଚରଉଚରା କରାଯିବା ପରେ ଭବାନୀପାଟଣା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତି ତମାମ ପଚରାଉଚରା କରିଥିଲା ଛତିଶଗଡ଼ STF ।
ଆଜି (ଗୁରୁବାର) ସକାଳୁ ଅଟକ ଥିବା ୫ଜଣଙ୍କୁ ଛତିଶଗଡ଼ ନେଇଛି STFର ସ୍ୱତନ୍ତ୍ର ଟିମ୍ । ବନ୍ଧୁକ ତିଆରୀରେ କିଛି ବନ କର୍ମଚାରୀ ସମ୍ପୃକ୍ତ ଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ତଦନ୍ତ କରୁଛି ବନ ବିଭାଗ । ପୂର୍ବରୁ ଜୟପାଟଣା ଅଞ୍ଚଳ ବିଭିନ୍ନ ଉପାନ୍ତ ଗାଁ ସସମେତ ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ବନ୍ଧୁକ ତିଆରି ହେଉଥିବା କଥା ସାମ୍ନାକୁ ଆସିଥିଲା ।
କିନ୍ତୁ ଏଥିରେ ପୋଲିସ ରୋକ ଲଗାଇ ପାରିନଥିଲା । ଫଳରେ ଏହି ଅଞ୍ଚଳରେ ବନ୍ଧୁକ ତିଆରି କରାଯାଇ ଛତିଶଗଡ଼, ବିହାର ଓ ଉତ୍ତର ପ୍ରଦେଶ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ପୂର୍ବରୁ ଜିଲ୍ଲାରେ ଚର୍ଚ୍ଚା ହେଉଥିଲା । ଛତିଶଗଡ଼ STFର ଚଢ଼ାଉ ପରେ ସନ୍ଦେହ ଉପରୁ ପରଦା ହଟିଛି ।
ଇଟିଭି ଭାରତ, କଳାହାଣ୍ଡି