କଳାହାଣ୍ଡି: ମାର୍ଚ୍ଚରୁ କଲବଲ କଲାଣି ତାତି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ । ମାର୍ଚ୍ଚ ମାସରୁ ହିଁ 38ଡିଗ୍ରୀ ଛୁଇଁଲାଣି ପାରଦ । ସକାଳ ୧୧ ଟାରୁ ୩ ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଯାହାଫଳରେ ଘରୁ ବାହାରିବା ସହରବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି ।
ଜରୁରୀ କାମ ଥିଲେ ହିଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ସାଙ୍ଗରେ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ମଝିରେ ମଝିରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଲାଣି । ମନକୁ ଟିକିଏ ଫୁର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ଲସି ଓ ଆମ୍ବରସ ଦୋକାନରେ ସମସ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି ।
ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟ ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏସବୁ ଭିତରେ ସମସ୍ତ ଜରୁରୀକାଳୀନ ପରିସ୍ଥିତି ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ