ଭବାନୀପାଟଣା: ଶେଷରେ ଆଦିବାସୀଙ୍କ ପାଖରେ ମୁଣ୍ଡ ନୂଆଁଇଲା ପ୍ରଶାସନ । ବନବାସୀଙ୍କ ନ୍ୟାର୍ଯ୍ୟ ଦାବି ସବୁ ପ୍ରଶାସନ ମାନି ନେବା ପରେ ନିଜ ଭିଟାମାଟିକୁ ଫେରିଛନ୍ତି ବନ ବନବାସୀ । ଏକ ମାସ ଧରି ଜାରି ରହିଥିବା ଲଢେଇରେ ଜିତିଛନ୍ତି ବନବାସୀ ଯାହାର ପରିଣାମ ସେମାନେ ନିଜ ନିଜ ଗାଁକୁ ଫେରିଛନ୍ତି ।
ବିଗତ ୩୦ ଦିନ ତଳେ ଜଙ୍ଗଲ ସୁରକ୍ଷା କମିଟି ଓ ଗୋତୋମୁଣ୍ଡା ଗାଁର ଶତାଧିକ ଲୋକେ ଆଦିବାସୀଙ୍କ ଉପରେ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିଲେ । ଏନେଇ ଭଟାପାଣି ଓ ଡୁମେରପାଣି ଗାଁର ବନବାସୀ ପ୍ରଶାସନର ଦ୍ବାରସ୍ତ ହୋଇଥିଲେ । ତେବେ ପ୍ରଶାସନ ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ ନ କରିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବନବାସୀ । ଆଉ ବନବାସୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ରାଜନେତା ଓ ସାମାଜିକ ସଂଗଠନ ।
ଦୀର୍ଘ ୩୦ ଦିନ ଧରି ଚାଲିଥିଲା ଆନ୍ଦୋଳନ ଯାହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଆଉ ଏହାକୁ ନେଇ ଉଭୟ କଳାହାଣ୍ଡି ଓ ନବରଙ୍ଗପୁରପୁର ଜିଲ୍ଲା ପ୍ରଶାସନ ଶେଷରେ ମାନି ନେଇଥିଲା ବନବାସୀଙ୍କ ଦାବି । ଏହା ପରେ ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ । ଦାବି ପୂରଣ ପରେ ନିଜ ଭିଟାମାଟିକୁ ଫେରିଛନ୍ତି ବନବାସୀ ଆଉ ଆରମ୍ଭ ହୋଇଛି ଘର ସଜଡ଼ା ସାଙ୍ଗକୁ ଚାଷବାସ ।
କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ