ଭବାନୀପାଟଣା: ଆରପାରିରେ ସମାଜସେବୀ ଡକ୍ଟର ଅକ୍ଷୟ ନନ୍ଦ । ସମାଜସେବାଠାରୁ ଆରମ୍ଭ କରି ଜିଲ୍ଲାର ସ୍ବାର୍ଥ ପାଇଁ ଅହରହ ଲଢେଇ କରୁଥିବା ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ ନନ୍ଦଙ୍କର ଆଜି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
୧୯୪୫ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଘୁମେରଗୁଡା ଗ୍ରାମରେ ସ୍ବର୍ଗତ ନନ୍ଦଙ୍କର ଜନ୍ମ । ସେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରହିଥିଲେ । ତେବେ ସେ କେବଳ ଜଣେ ଶିକ୍ଷାବିତ ନଥିଲେ ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଉଲ୍ଲେଖନୀୟ ଅବଦାନ ରହିଛି । ଜଣେ ଦକ୍ଷ ସଙ୍ଗଠକ ସାଙ୍ଗକୁ କଳାହାଣ୍ଡି ଜିଲ୍ଲା ଭିତ୍ତିକ ପ୍ରସଙ୍ଗର ଆଗ ଧାଡିର ଲଢୁଆ ସୈନିକ ଥିଲେ ସ୍ବର୍ଗତ ନନ୍ଦ । କଳାହାଣ୍ଡି ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ମେଡିକାଲ କଲେଜ୍, ଇଞ୍ଜିନିୟରିଂ କଲେଜ୍, କୃଷି ମହା ବିଦ୍ୟାଳୟ ଆଦି ପ୍ରତିଷ୍ଠା କ୍ଷେତ୍ରରେ ଜିଲ୍ଲାବାସୀଙ୍କ ସ୍ବପ୍ନକୁ ସେ ସାକାର କରିପାରିଥିଲେ ।
ତେବେ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ବର୍ଗ ଓ ସମ୍ପର୍କୀୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅକ୍ଷୟ ନନ୍ଦଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅନେକ ରାଜନେତା, ଶିକ୍ଷାବିତ, ସମାଜସେବୀ, ସାମାଜିକ ସଂଗଠନ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଙ୍ଘ ସ୍ବର୍ଗତ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି