କଳାହାଣ୍ଡି: ଗାଁକୁ ଗାଡି ଯିବାକୁ ରାସ୍ତା ନ ଥିବାରୁ ମୃତଦେହକୁ 10 କିଲୋମିଟର କାନ୍ଧରେ ବୋହି ନେବାକୁ ପଡିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକର ସିଲେଟ ପଂଚାୟତ ଅନ୍ତର୍ଗତ ରୂପେନ ଗାଁରେ । ଗାଁର ଜଣେ ପ୍ରସୂତୀଙ୍କ ମୃତ୍ୟୁ ହେବାପରେ ମୃତଦେହ ବାହକ ଗାଡିରେ ଗ୍ରାମକୁ ଅଣାଯାଉଥିଲା । ହେଲେ ରାସ୍ତା ଖରାପ ଥିବାରୁ ଗାଡି ଗାଁକୁ ଆସିପାରି ନଥିଲା । ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହକୁ ଭାରରେ ବୋହି ନେବାକୁ ପଡିଛି ।
ସୂଚନାଯୋଗ୍ୟ, ରୂପେନ ଗାଁର ଟାଙ୍ଗରୁ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ଭବାନୀପାଟଣା ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଏହାପରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ପରେ ମୃତଦେହକୁ ବାହକ ଗାଡିରେ କେରପାଇ ପଞ୍ଚାୟତ ପର୍ଯ୍ୟନ୍ତ ନିଆଯାଇଥିଲା । ରାସ୍ତା ଖରାପ ଥିବାରୁ ଆଗକୁ ଗାଡି ଯାଇପାରି ନଥିଲା । ତେଣୁ ଗ୍ରାମ ଲୋକଙ୍କ ସହାୟତାରେ ବର୍ଷାରେ ନଦୀନାଳ ଅତିକ୍ରମ କରି ମୃତଦେହକୁ 10 କିଲୋମିଟର ନିଆଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏପରିକି ସ୍ଥାନୀୟ ନେତାମାନେ କେବଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଉଥିବା ବେଳେ ତାହା ପୂରଣ କରୁ ନ ଥିବା କଥା ମୃତକଙ୍କ ସଂପର୍କୀୟ ମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।
ଏହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । ରାସ୍ତାଟିଏ ଥିଲେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିନଥାନ୍ତା । ତେଣୁ କେବେ ପ୍ରଶାସନର ଏ ଦିଗରେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ