ଭବାନୀପାଟଣା: ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଟେଣ୍ଡାପାଲି ଗାଁ ଦେଇ ପ୍ରବାହିତ ହେଉଥିବା ମୁଦ୍ରା ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ନଦୀର ଆଡି଼ବନ୍ଧ ଭୁଶୁଡ଼ି ପଡିଛି । ଏଥିଯୋଗୁଁ ଜମି ଜଳମଗ୍ନ ହେବା ସାଙ୍ଗକୁ ଶହ ଶହ ଏକର ଜମି ବାଲିଚର ହୋଇଛି । ଫଳରେ ଧାନ ଫସଲ ସାଙ୍ଗକୁ ପନିପରିବା ଫସଲ ନଷ୍ଟ ହୋଇଯାଇଛି । ଫସଲ ନଷ୍ଚ ହେବା ଯୋଗୁଁ ଧାରକରଜ କରି ଚାଷ କରିଥିବା ଛୋଟ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
କଳହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ବର୍ଷାର ପ୍ରକୋପ କମିଛି ହେଲେ ଲଗାଣ ବର୍ଷାରେ କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଘର ଭାଙ୍ଗିଯାଇଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଟେଣ୍ଡାପାଲି ଗାଁ ଦେଇ ପ୍ରବାହିତ ହେଉଥିବା ମୁଦ୍ରା ନଦୀରେ ବନ୍ୟା ଜଳ ଆସି ନଦୀର ଆଡିବନ୍ଧ ଭାଙ୍ଗି ଯାଇଛି । ଆଡିବନ୍ଧ ଭାଙ୍ଗି ଯିବାରୁ ନଦୀକୂଳରେ ଲାଗିଥିବା ଫସଲ ଧୋଇ ହୋଇଯିବା ସହ ଏକର ଏକର ଚାଷ ଜମି ବାଲିଚର ହୋଇଯାଇଛି । ଫଳରେ ଚାଷ ଜମିରେ ହୋଇଥିବା ଫସଲ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଧାର କରଜ କରି ଗାଁର ଅନେକ ଚାଷୀ ଜମିରେ ଧାନ ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ । ମାତ୍ର ଆଡିବନ୍ଧ ଭାଙ୍ଗି ଯିବାରୁ ଫସଲ ନଷ୍ଟ ହେବା ସାଙ୍ଗକୁ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ସେପଟେ ଏକ ଫୁଟରୁ ତିନି ଫୁଟ ପର୍ଯ୍ୟନ୍ତ ଜମିରେ ବାଲିଚର ହୋଇଥିବାରୁ ଜମିରୁ କେମିତି ବାଲି ଉଠାଇବେ ସେନେଇ ଚିନ୍ତାରେ ଚାଷୀକୂଳ ।
ସେପଟେ ଆଡିବନ୍ଧ ନିର୍ମାଣ କାମ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ ହେଁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇନଥିଲା । ଫଳରେ ମାଟିରେ ଗାର୍ଡୱାଲ ନିର୍ମାଣ କରାଯାଇଥିବାରୁ ବର୍ଷା ଜଳରେ ଆଡିବନ୍ଧ ଭୁଶୁଡି ପଡିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ଦାବୀ ହୋଇଛି । ସେହିପରି ଫସଲ କ୍ଷୟକ୍ଷତି ପ୍ରଦାନ କରାଯିବା ସହିତ ଚାଷ ଜମିରୁ ବାଲି ଉଠାଇବା ପାଇଁ ତୁରନ୍ତ ସରକାରୀ ସହାୟତା ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବୀ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି