ଭବାନୀପାଟଣା: ଧାନ କିଣାବିକାରେ ଜାଲିଆତି ଘଟଣା । କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର କୋକସରା ବ୍ଲକରେ ୨୦୧୦ ମସିହାରେ ଏସିଏସଓ ତଥା ପରଚେଜ ଅଫିସର ଭାବରେ ଅବସ୍ଥାପିତ ଥିବା ମନୋଜ ପ୍ରଧାନ ଗତ ଶନିବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୪ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ । କୋର୍ଟଙ୍କ ନିର୍ଦ୍ଦେଶ ପରେ ମନୋଜ ପ୍ରଧାନଙ୍କୁ ଗିରଫ କରି ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର କୋକସରା ବ୍ଲକ ଠାରେ ଅତିରିକ୍ତ ଯୋଗାଣ ଅଧିକାରୀ ତଥା ଧାନ କ୍ରୟ ଅଧିକାରୀ ଭାବରେ ୨୦୧୦ ମସିହାରେ ମନୋଜ ପ୍ରଧାନ କାର୍ଯ୍ୟ କରୁଥିଲେ । ଏହି ସମୟରେ ବଙ୍ଗୋମୁଣ୍ଡାର ସୁରଜ ଏଗ୍ରୋ ଇଣ୍ଡଷ୍ଟ୍ରିଜର ମାଲିକ ସୂର୍ଯ୍ୟ ପ୍ରକାଶ ଅଗ୍ରୱାଲ ଓ ସିଉନିର ଜୟ ହନୁମାନ ରାଇସ ମାଲିକ ଘାସିରାମ ଅଗ୍ରୱାଲ ଯୋଗାଣ ବିଭାଗରୁ ପ୍ରତ୍ୟେକ ୨୭ ହଜାର କୁଇଣ୍ଟାଲ ଧାନ ନେଇଥିଲେ । ସେଥିମଧ୍ୟରୁ ୬୮% ଚାଉଳ ପ୍ରଦାନ କରିଥିଲେ । ଏହି ଚାଉଳ ନେଇ ଏସିଏସଓ ମନୋଜ ପ୍ରଧାନ କିଛି ଚାଉଳ ନିମ୍ନମାନର ଦର୍ଶାଇ ମିଲ ମାଲିକଙ୍କୁ ଫେରାଇ ଥିବାବେଳେ ଅବଶିଷ୍ଟ ଚାଉଳ ହଡପ କରିଥିବା ଅଭିଯୋଗ ହୋଇଥିଲା ।
ଏନେଇ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ଏକ ମାମଲା ରୁଜୁ କରାଯାଇଥିଲା । ଶନିବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ସ୍ବତନ୍ତ୍ର ବିଚାରପତି ଶ୍ରୀକାନ୍ତ କୁମାର ମିଶ୍ର ଶୁଣାଣି କରିଥିଲେ । ଏହି ମାମଲାରେ ଏସିଏସଓ ଥିବା ମନୋଜ କୁମାର ପ୍ରଧାନଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୪ ଲକ୍ଷ ଟଙ୍କା ଜୋରିମାନା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜୋରିମାନା ଅନାଦେୟ ଆହୁରି ୧ବର୍ଷ ଜେଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିଭଳି ମିଲ ମାଲିକ ସୂର୍ଯ୍ୟ ପ୍ରକାଶ ଅଗ୍ରୱାଲ ଓ ଘାସିରାମ ଅଗ୍ରୱାଲଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି । ଏହି ୨ ଜଣ ମିଲ ମାଲିକ ଧାନ ନେଇ ଚାଉଳ ନଦେବା ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଥିବା ଅନ୍ୟ ଏକ ମାମଲା ବିଚାରାଧିନ ଥିବା ଯୋଗୁଁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ଗତକାଲି(ଶନିବାର) ମାମଲା ଶୁଣାଣି ହେବା ପରେ ବର୍ତ୍ତମାନ ବରଗଡରେ ଥିବା ଯୋଗାଣ ବିଭାଗର ଏସିଏସଓ ମନୋଜ କୁମାର ପ୍ରଧାନଙ୍କୁ ଗିରଫ କରି ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି । ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅଶ୍ବିନୀ କୁମାର ସାହୁ ପରିଚାଳନା କରିଥିବା ବେଳେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦୁଇଜଣ ମିଲ ମାଲିକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କ୍ଷୀରୋଦ ପ୍ରସାଦ ନେଗି ମାମଲା ପରିଚାଳନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି