ଭବାନୀପାଟଣା: ତେଜୁଛି ଆଶାକର୍ମୀ ଓ ଡାକ୍ତରାଣୀ ବିବାଦ। କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଆଶାକର୍ମୀ ଓ ଡାକ୍ତରାଣୀ ବିବାଦ ତୁଟୁନି । ଘଟଣାକୁ ନେଇ ଆଶାକର୍ମୀ ସଂଘ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ଅନ୍ତର୍ଗତ ବଣ୍ଡାବାଗ ଗାଁର କ୍ଷୀରମଣି ଝଡ଼ିଆଙ୍କ ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରସବ ଯନ୍ତ୍ରଣା ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଆଶାକର୍ମୀ ସଙ୍ଗୀତା ନାଏକ କ୍ଷୀରମଣି ଝଡିଆଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରାଣୀ ହେମାଙ୍ଗୀନି ମେହେରଙ୍କୁ ଚିକିତ୍ସା ପାଇଁ କହିଥିଲେ । ଏହାକୁ ନେଇ ଉଭୟ ଆଶାକର୍ମୀ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଘଟଣା ଚାପୁଡା ମାରିବା ଯାଏଁ ମଧ୍ୟ ପହଞ୍ଚିଥିଲା । ଏହି ଘଟଣାକୁ ଇତି ମଧ୍ୟରେ ଏକ ମାସ କାଳ ବିତି ଯାଇଥିଲେ ବି ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ଘଟଣାକୁ ନେଇ ଆଶାକର୍ମୀ ସଙ୍ଘ ପକ୍ଷରୁ ସିଡିଏମଓ ଏବଂ ପୋଲିସର ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।
ସେପଟେ ଥୁଆମୂଳ ରାମପୁର ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ଦ୍ବାରା ସ୍ଥାନୀୟ ଖଣ୍ଡୁଆଲ ବାବା ଖେଳ ପଡ଼ିଆ ଠାରେ ଆଶା ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ବୈଠକରେ ଥୁଆମୂଳ ରାମପୁର ବ୍ଲକ ଉପାଧକ୍ଷ ଗୋବିନ୍ଦ ପ୍ରଧାନୀଙ୍କ ସମେତ ସ୍ଥାନୀୟ ଅନେକ ଜନ ପ୍ରତିନିଧି ସାମିଲ ହୋଇଥିଲେ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ଘଟଣାର ପଦକ୍ଷେପ ନ ନେଲେ ଆନ୍ଦୋଳନ ତ୍ରୀବ ହେବ ବୋଲି ବୈଠକରେ ଚେତାବନୀ ଦେଇଛନ୍ତି।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ